Categories: ଯାଜପୁର

ଡାକଘରୁ ହେଡ୍‌ ପୋଷ୍ଟମାଷ୍ଟର ଆସବାବପତ୍ର ଲୁଟି ନେଇଥିବା ଅଭିଯୋଗ : ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେଲା କର୍ମଚାରୀ ସଂଘ

ଯାଜପୁର ଟାଉନ,୭ା୬(ଡିଏନଏ)- ଯାଜପୁର ମୁଖ୍ୟ ଡାକଘରର ହେଡ୍‌ ପୋଷ୍ଟମାଷ୍ଟର ପ୍ରମୋଦ କୁମାର ହୋତା କାର୍ଯ୍ୟାଳୟର ଆସବାବପତ୍ର ଓ ବିଭିନ୍ନ କମ୍ପ୍ୟୁଟର ସାମଗ୍ରୀ ନେଇ ପଳାଇ ଯାଇଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ କର୍ମଚାରୀ ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ତଥା ଏନ୍‌ଏପିଇର କଟକ ନର୍ଥ ଡିଭିଜନ (ଜିଆର-ସି)ର ଡିଭିଜନାଲ ସେକ୍ରେଟାରୀ ଅତୁଲ୍ୟ କୁମାର ଦାସ ପୋଷ୍ଟମାଷ୍ଟର ହୋତାଙ୍କ ନାମରେ ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କୁମାର କାମିଲା ଏବଂ ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ସାମଲଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଦାସଙ୍କ ଅଭିଯୋଗ ଅନୁଯାୟୀ, ମେ ୭ରେ ହେଡ୍‌ ପୋଷ୍ଟମାଷ୍ଟର ହୋତା ପୁରୁଣା ରେକର୍ଡକୁ ଅଦରକାରୀ ଦର୍ଶାଇ ୨୦ କୁଇଣ୍ଟାଲରୁ ଅଧିକ କାଗଜପତ୍ର ଓ କମ୍ପ୍ୟୁଟର ସାମଗ୍ରୀ ନେଇଯାଇଥିଲେ। ଏହାକୁ କବାଡ଼ିଆ ଦୋକାନରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ମେ ୧୦ରେ କିଛି ଲୌହ ସାମଗ୍ରୀ, ଆଲୁମିନିୟମ ଚ୍ୟାନେଲ, ପୁରୁଣା ବ୍ୟାଟେରୀ ଓ ଷ୍ଟାବ୍ଲାଇଜର, ମୋଟର ଇତ୍ୟାଦି ଏକ ପିକଅପ୍‌ ଭ୍ୟାନରେ ଲଦି ନେଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେହିପରି ଗତ ୫ ତାରିଖ ମଧ୍ୟ ଇଦ୍‌ ଛୁଟି ଥିବାବେଳେ ଅତି ସକାଳୁ କର୍ମଚାରୀ ଏବଂ ସହକାରୀ ପୋଷ୍ଟମାଷ୍ଟରଙ୍କ ଅନୁପସ୍ଥିତିରେ କିଛି କମ୍ପ୍ୟୁଟର ସାମଗ୍ରୀ ଓ କାର୍ଯ୍ୟାଳୟର ଆସବାବ ପତ୍ର ହୋତା ନେଇ ଯାଇଥିବା ଦାସ ଅଭିଯୋଗ କରିଛନ୍ତି। ହୋତାଙ୍କର ଇତି ମଧ୍ୟରେ ଜଗତସିଂହପୁରକୁ ବଦଳି ହୋଇଯାଇଥିବାବେଳେ ଆସବାସପତ୍ର ପରିବହନ ଆଳରେ ମୁଖ୍ୟ ଡାକଘରର ଲକ୍ଷାଧିକ ଟଙ୍କାର ସାମଗ୍ରୀକୁ ହୋତା ଲୁଟି ନେଇଥିବା ଦାସ ଓ ଅନ୍ୟ କେତେଜଣ କର୍ମଚାରୀ ଅଭିଯୋଗ କରିବା ସହିତ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ସମ୍ପୃକ୍ତ ପୋଷ୍ଟମାଷ୍ଟର ହୋତାଙ୍କୁ ପଚାରିବାରୁ, ସେ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହିତ କେବଳ ନିଜ ବ୍ୟବହୃତ ଆସବାସପତ୍ର ବଦଳି ହୋଇଥିବା ସ୍ଥାନକୁ ପରିବହନ କରି ଆଣିଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦାସ ଏକ ୟୁନିଅନର କର୍ମକର୍ତ୍ତା ହୋଇଥିବାବେଳେ ସେ ନିଜେ ଅନ୍ୟ ଏକ ୟୁନିଅନର ସଭ୍ୟ ଅଟନ୍ତି। ତେଣୁ ୟୁନିଅନକୁ ନେଇ ଚାଲିଥିବା ରାଜନୀତିରେ ତାଙ୍କୁ ଛନ୍ଦି ଦିଆଯିବାକୁ ଉଦ୍ୟମ କରାଯାଇଛି ବୋଲି ହୋତା କହିଛନ୍ତି। ଏପରିକି ଅଭିଯୋଗକାରୀମାନେ ମୁଖ୍ୟ ଡାକଘରେ ନିଜର କର୍ତ୍ତବ୍ୟ ଠିକ୍‌ଭାବେ ସମ୍ପାଦନ କରୁ ନ ଥିବାବେଳେ ସେମାନଙ୍କୁ ସେ ହେଡ୍‌ ପୋଷ୍ଟମାଷ୍ଟର ହିସାବରେ ତାଗିଦ କରିଥିଲେ। ସେମାନେ ତାହାକୁ ଆକ୍ରୋଶମୂଳକ ବୋଲି ଧରିନେଇ ଏଭଳି ମିଛ ଅଭିଯୋଗ ବାଢିଛନ୍ତି ବୋଲି କହିଛନ୍ତି ା