Advertisement
Categories: ଖେଳ

ଡାକାର ରାଲି: କାର୍ଲୋସ ସେଞ୍ଜ୍‌ଙ୍କୁ ତୃତୀୟ ଟାଇଟଲ

କ୍ୱିଦିୟା (ସୌଦି ଆରବ), ୧୮ା୧ (ଏଏଫ୍‌ପି)-ଭେଟେରାନ ସ୍ପାନିଶ ଡ୍ରାଇଭର କାର୍ଲୋସ ସେଞ୍ଜ୍‌ ଶୁକ୍ରବାର ତୃତୀୟ ଥରପାଇଁ ଡାକାର ରାଲି ଜିତିଛନ୍ତି। ୫୭ ବର୍ଷୀୟ ଏହି ଡ୍ରାଇଭର ଅନ୍ତିମ ତଥା ଦ୍ୱାଦଶ ଷ୍ଟେଜ୍‌ରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଗତଥରର ଚାମ୍ପିୟନ କାତାରର ନାସେର ଅଲ୍‌ ଆତିୟାଙ୍କୁ ୬ ମିନିଟ୍‌ ୨୧ ସେକେଣ୍ଡ ପଛରେ ପକାଇ ଦେଇଥିଲେ। ନାସେର ମଙ୍ଗଳବାର ସେଞ୍ଜଙ୍କୁ ୨୪ସେକେଣ୍ଡ ପଛରେ ପକାଇ ଅଗ୍ରଣୀ ଲାଭ କରିଥିଲେ। ମାତ୍ର ଏହାପରେ ସେ ଗତିପଥ ନିର୍ଦ୍ଧାରଣ ପଦ୍ଧତିରେ ତ୍ରୁଟି କରି ବସିଥିଲେ। ରେସ୍‌ ପରେ ସେଞ୍ଜ ଆନନ୍ଦ ପ୍ରକାଶ କରିବା ସହ ସୌଦି ଆରବରେ ପ୍ରଥମ ଅଭିଜ୍ଞତା ବେଶ୍‌ ରୋମାଞ୍ଚକ ଥିଲା ବୋଲି କହିଛନ୍ତି। ଆସନ୍ତା ବର୍ଷ ରେସ୍‌ରେ ସେ ଅଂଶଗ୍ରହଣ କରିବେ କି ପଚରାଯିବାରେ ଏବେଠୁ କହିବା ଠିକ୍‌ ହେବ ନାହିଁ ବର୍ତ୍ତମାନ ମୁଁ ବିଜୟ ଖୁସିକୁ ଉପଭୋଗ କରିବାକୁ ଚାହେଁ ବୋଲି କହିଥିଲେ। ସେଞ୍ଜ ହେଉଛନ୍ତି ଫର୍ମୁଲା ଓ୍ବାନ ଡ୍ରାଇଭର କାର୍ଲୋସ ସେଞ୍ଜ ଜୁନିୟରଙ୍କ ପିତା। ସେ ତାଙ୍କ ଏକ୍ସ-ରେଡ୍‌ ମିନିରେ ତୃତୀୟ ଷ୍ଟେଜ୍‌ରୁ ରେସ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ସେଞ୍ଜ ବର୍ତ୍ତମାନ ପୃଥକ୍‌ ପୃଥକ କମ୍ପାନୀର ପ୍ରତିନିଧିତ୍ୱ କରି ଏହି ପ୍ରତିଯୋଗିତାରେ ତୃତୀୟ ଥର ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ପୂର୍ବରୁ ସେ ୨୦୧୦ରେ ଭୋଗ୍ସଓ୍ବାଗନ ଏବଂ ୨୦୧୮ରେ ପିଜଟ ତରଫରୁ ପ୍ରତିନିଧିତ୍ୱ କରି ଟାଇଟଲ ଜିତିସାରିଥିଲେ। ଷ୍ଟିଫାନେ ପିଟରହାନ୍‌ସେଲ ତାଙ୍କ ମିନିରେ ୯ ମିନିଟ୍‌ ୫୮ ସେକେଣ୍ଡ ପଛରେ ରହି ତୃତୀୟ ହୋଇଥିଲେ। କଷ୍ଟସାଧ୍ୟ ଡାକାର ରାଲି ୧୨ଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀମାନଙ୍କୁ ୭,୮୦୦ କିଲୋମିଟର ଅତିକ୍ରମ କରିବାକୁ ହୋଇଥିଲା। ମୋଟରବାଇକ୍‌ ବିଭାଗରେ ରିକି ବ୍ରାବେକ୍‌ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ରାଇଡର ଭାବେ ରେସ୍‌ ଜିତିଥିଲେ। ଦୁଇଥର ଫର୍ମୁଲା ଓ୍ବାନ ଚାମ୍ପିୟନ ଫର୍ନାଣ୍ଡୋ ଆଲେଁାସୋ ତାଙ୍କ ଡାକାର ପଦାର୍ପଣରେ ୧୩ତମ ସ୍ଥାନ ଅଧିକାର କରିଥିଲେ। ରବିବାର ପର୍ତ୍ତୁଗୀଜ୍‌ ରାଇଡର ପଲୋ ଗୋନକ୍ଲେଭ୍ସଙ୍କ ମୃତ୍ୟୁ ଶୋକ ପରିବେଶ ସୃଷ୍ଟି କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel