ଡାକ୍ତରଖାନାରେ ଦଲାଲି, ଔଷଧ ଦୋକାନୀ ଗିରଫ

ଆସିକା,୨୭ା୯(ଡି.ଏନ୍‌.ଏ.): ଆସିକା ସବଡିଭିଜିନାଲ୍‌ ହସପିଟାଲକୁ ଆସୁଥିବା ରୋଗୀଙ୍କୁ ଭୂଆଁ ବୁଲାଇ ନିଜ ଔଷଧ ଦୋକାନକୁ ନେଉଥିବା ଏବଂ ମନଇଛା ଔଷଧ ଦେଇ ଲୁଟୁଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଜଣେ ଔଷଧ ଦୋକାନୀଙ୍କୁ ଗିରଫ କରିଛି। ସେ ହେଲେ ସମୀର୍‌ ଚୌଧୁରୀ। ଅଭିଯୁକ୍ତଙ୍କ ବିରୋଧରେ ଆସିକା ଥାନାରେ ନଂ.୩୩୦/୧୯ରେ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଥାନାଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଆସିକା ସରକାରୀ ଡାକ୍ତରଖାନାରେ ଦଲାଲମାନେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ହାତରୁ ଔଷଧ ଚିଠା ଟାଣିନେଇ ଘରୋଇ ଔଷଧ ଦୋକାନୀମାନେ ହଇରାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଶୁକ୍ରବାର ଡାକ୍ତରଖାନା ପରିସରରେ ପୋଲିସ ଛଦ୍ମବେଶରେ ରହି ସ୍ଥିତି ଅନୁଧ୍ୟାନ କରୁଥିଲା। ଡାକ୍ତରଖାନା ସଂଲଗ୍ନ ବାଣୀବିହାରଠାରେ ଥିବା ଏକ ଔଷଧ ଦୋକାନ ମାଲିକ ଜଣେ ରୋଗୀଙ୍କ ଚିଠା ନେଇ ଡାକ୍ତରଖାନାରେ ମିଳୁଥିବା ନିରାମୟ ଔଷଧ ଭଲନାହିଁ ବୋଲି କହି ନିଜ ଦୋକାନକୁ ନେଇଥିଲେ। ସେଠାରେ ଡାକ୍ତର ଲେଖିଥିବା ଚିଠା ମୁତାବକ ଔଷଧ ନଦେଇ ଅନ୍ୟ ଔଷଧ ଦେଇ ଟଙ୍କା ନେଇଥିଲେ। ପରେ ପୋଲିସ ଦୁଇଜଣ ଛଦ୍ମବେଶୀ ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ପଠାଇ ଔଷଧ ଚିଠା ଆଣିବା ପରେ ଦୋକାନୀ ଜଣକ ପୁଣି ଏମାନଙ୍କୁ ନେଉଥିବାବେଳେ ତାଙ୍କୁ କାବୁ କରିଥିବା ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି।

Share