Categories: ଜାତୀୟ

ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ରୋଗୀ

ଇନ୍ଦୋର, ୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ଡାକ୍ତରଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ମୁଖ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ରଫିକ ରଶିଦ୍‌(୪୫) ନାମକ ଜଣେ ବ୍ୟକ୍ତି ଡା. ରାମକୃଷ୍ଣ ବର୍ମାଙ୍କ କ୍ଲିନିକ୍‌କୁ ଯାଇଥିଲେ। ଡାକ୍ତର କୌଣସି କାମ ପାଇଁ ବାହାରକୁ ଯାଇଥିବାବେଳେ ତାଙ୍କ ସ୍ତ୍ରୀ ଲତା କ୍ଲିନିକ୍‌ରେ ନର୍ସ ଭାବେ କାମ କରୁଥିଲେ। ସ୍ବାମୀ ନ ଥିବାରୁ ପରେ ଆସିବାକୁ ଲତା ରଶିଦ୍‌ଙ୍କୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଶିଦ୍‌ ଛୁରିରେ ଲତାଙ୍କୁ ଆକ୍ରମଣ କରିଥିଲେ। ଡାକ୍ତରଙ୍କ ପୁଅ ଏହା ଦେଖି ମା’ଙ୍କୁ ବଞ୍ଚାଇବାକୁ ଆସିଯିବାରୁ ତାଙ୍କ ମଧ୍ୟ ରଶିଦ୍‌ ଆକ୍ରମଣ କରିଥିଲେ। ସେ ଏବେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

Share