ଡାକ୍ତର ନିଯୁକ୍ତି ଦାବିରେ ଗଣଧାରଣା

ଜଳେଶ୍ୱର, ୧୭ ।୧ (ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ପୌରାଞ୍ଚଳର ବଡ ବଜାରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ତଥା ଜଳେଶ୍ୱର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଦୀର୍ଘଦିନ ହେଲା ସ୍ଥାୟୀ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ପଦବୀ ଖାଲିପଡିଛି। ଫଳରେ ଏଠାକୁ ପ୍ରତ୍ୟେକ ଦିନ ଆସୁଥିବା ୨ଶହରୁ ୩ଶହ ରୋଗୀ ଚିକିତ୍ସା ନ ପାଇ ନିରାଶ ହୋଇ ଫେରୁଛନ୍ତି। ଡାକ୍ତରଙ୍କ ପରିବର୍ତ୍ତେ ଜଣେ ଫାର୍ମାସିଷ୍ଟ ରୋଗୀ ଦେଖିବା ସହ ଔଷଧ ଦେଉଛନ୍ତି।
୧୯୩୬ ମସିହାରେ ନିର୍ମିତ ଏହି ଡିସ୍‌ପେନ୍‌ସାରି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଘୋଷଣା ହୋଇଥିଲା। ଏବେ ଏହାକୁ ସରକାରୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବୋଲି ନାମିତ କରାଯାଇଛି। ଅଦ୍ୟାବଧି ଏଠାରେ ସ୍ବାସ୍ଥ୍ୟ ସେବାରେ କୌଣସି ଉନ୍ନତି ହୋଇନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର, ନର୍ସ ଓ ସୁଇପର ନିଯୁକ୍ତି ସହ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଦାବି କରି ଶୁକ୍ରବାର ମାନସ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଥିଲା। ଏ ଦିଗରେ ତୁରନ୍ତ ଦୃଷ୍ଟି ଦିଆ ନ ଗଲେ ଏହି ଗଣଧାରଣା ଆମରଣ ଅନଶନରେ ପରିଣତ ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଏହି ଗଣଧାରଣାରେ ଅରୁଣ କୁମାର ବେଜ, ଫାଲ୍‌ଗୁନୀ ପାଣିଗ୍ରାହୀ, ଚନ୍ଦନ କୁମାର ଦାସ, ବାଙ୍କ ବିହାରୀ ଦାସ, ପ୍ରଣବ କୁମାର ପଣ୍ଡା, ଅମୂଲ୍ୟ ସେନାପତି, ଅନନ୍ତ କୁମାର ଦାସ, ବାଦଲ ଦାସ, କାନାଇକୃଷ୍ଣ ଦେ, ଶିବଶଙ୍କର କର, କମଳ ଲୋଚନ ସାମଲ, ଅଞ୍ଜନ କୁମାର ଦାସ, ରାମକୃଷ୍ଣ ସାହୁ, ସୁଜୟ ରାଉଳ ପ୍ରମୁଖ ଯୋଗ ଦେଇଥିଲେ। ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ୧୫ ଦିନ ମଧ୍ୟରେ ଡାକ୍ତର, ସୁଇପର ନିଯୁକ୍ତି ଏବଂ ହୋମିଓପାଥି ଆୟୁଷ ଡାକ୍ତର ଥିବା ବେଳେ ଔଷଧ ମିଳୁ ନ ଥିବାରୁ ଏହା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ା ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ା