ଡାକ୍ତର ନିଯୁକ୍ତି ଦାବି ନେଇ ଅନଶନରେ ବସିଲେ ସ୍ଥାନୀୟ ଲୋକେ

ବରଗଡ଼ ଅଫିସ,୧୯ା୬: ବରଗଡ଼ ଜିଲା ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ଖାଲ ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଦାବିରେ ବୁଧବାର ସକାଳୁ ସ୍ଥାନୀୟ ଲୋକେ ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଅନଶନରେ ବସିଛନ୍ତି। ସୁଶାନ୍ତ କୁମାର ଗଡ଼ତୀୟ, ସଚ୍ଚିଦାନନ୍ଦ ପାତ୍ର ପ୍ରମୁଖ ଅନଶନରେ ସାମିଲ ହୋଇଛନ୍ତି । ପ୍ରକାଶଥାଉ କି, ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଏନକେ ପାଢ଼ୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ୧୫ ଦିନ ମଧ୍ୟରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି କରା ନ ଗଲେ ସେମାନେ ଅନଶନରେ ବସିବେ ବୋଲି ଉକ୍ତ ସ୍ମାରକପତ୍ରରେ ଚେତାବନୀ ଦେଇଥିଲେ।