ଡାକ୍ତର ନିଲମ୍ବନ ପ୍ରତ୍ୟାହାର ଦାବିରେ କାଲିମେଳା ବନ୍ଦ ପାଳନ

କାଲିମେଳା,୧୬।୧୨(ଡି.ଏନ.ଏ): ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର କରି ପୁନଃନିଯୁକ୍ତି ଦାବି କରି ସୋମବାର କାଲିମେଳାରେ ବନ୍ଦ ପାଳନ କରାଯାଇଛି। ଏଥିସହ ବିଜେଡି, ଭାଜପା ଓ କଂଗ୍ରେସ ଦଳର ସମସ୍ତ ଲୋକପ୍ରତିନିଧି ଓ ଜନସାଧାରଣମାନେ କାଲିମେଳା ବ୍ଲକ ସାମ୍ନାରେ ଧାରଣା ଦେଇଛନ୍ତି l ସୂଚନା ଥାଉକି, ଗତ ୨୯ ତାରିଖ ଦିନ ଜଣେ ସ୍କୁଲ ଛାତ୍ରୀକୁ ମାଡ ମାରିବା ଘଟଣାରେ ଜିଲା ପ୍ରଶାସନ ତଦନ୍ତ କରି ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କୁ ନିଲମ୍ବନ କରିଥିଲେ। କିନ୍ତୁ ଛାତ୍ରୀଙ୍କ ରୋଗର ଲକ୍ଷଣ ଯାହା ଥିଲା ଡାକ୍ତର ସେହି ଚିକିତ୍ସା ପଦ୍ଧତିରେ ଛାତ୍ରୀ ଜଣଙ୍କୁ ଚିକିତ୍ସା କରିଥିଲେ। ପରେ ଛାତ୍ରୀ ଜଣଙ୍କ ୧ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଭଲ ହୋଇ ଘରକୁ ଫେରିଥିଲେ। ଡାକ୍ତରଙ୍କ ନିଳମ୍ବନ ପଛରେ କିଛି ଖଳ ପ୍ରକୃତିର ଲୋକମାନଙ୍କ ହାତ ଥିବା ଆନ୍ଦୋଳନ କରୁଥିବା ବ୍ଲକ ଅଧ୍ୟକ୍ଷ ମଲା ମାଢ଼ି, ବିଧାୟକ ପ୍ରତିନିଧି ଭବାନୀ ଶଙ୍କର ମୂଖାର୍ଜୀଙ୍କ ସହ ଅନ୍ୟ ନେତାମାନେ ଅଭିଯୋଗ କରିଛନ୍ତି।
ଉପସ୍ଥିତ ଲୋକମାନଙ୍କ କହିବା କଥା ଡାକ୍ତର ମଲ୍ଲିକ କାଲିମେଳା ଅଞ୍ଚଳର ଜନସାଧାରଣଙ୍କୁ ୨୪ ଘଣ୍ଟିଆ ଚିକିତ୍ସା ଯୋଗାଇ ଆସୁଛନ୍ତି। ତାଙ୍କ ନାମରେ କୌଣସି ଅଭିଯୋଗ ଆସିନାହିଁ। ତେଣୁ ତୁରନ୍ତ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଡାକ୍ତର ମଲ୍ଲିକଙ୍କୁ ପୁନର୍ବାର ଏଠାରେ ନିଯୁକ୍ତି ଦେବା ପାଇଁ ଆମେ ଧାରଣ ଦେଇଛୁ ବୋଲି ଲୋକମାନେ କହିଛନ୍ତି। ଏହାକୁ ଆଖିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇ କରାଯାଇଛି। ସୋମବାର କାଲିମେଳା ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ତେବେ ଦୋକାନ ବଜାର ବନ୍ଦ ରହିଥିବାବେଳେ ଗାଡିମୋଟର ଚଳାଚଳ ସ୍ବାଭାବିକ ରହିଛି। ଦୋକନ ବଜାର ବନ୍ଦ ହେବା ଯୋଗୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି।