ଡାକ୍ତର ପରିଚୟ ଦେଇ କାର୍‌ ଲୋନ୍‌ ଆଳରେ ୧୮ ଲକ୍ଷ ଠକେଇ: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ କାର ଲୋନ୍‌ ନେବା ଆଳରେ ବ୍ୟାଙ୍କରେ ଜାଲ କାଗଜପତ୍ର ଦାଖଲ କରି ୧୮ଲକ୍ଷ ଠକେଇ କରିଥିବା ଅଭିଯୁକ୍ତଙ୍କୁ ଶୁକ୍ରବାର ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ସେ ହେଲେ କଟକ ଜିଲା ଗୋପାଳପୁର ପାଇକସାହିର ସିଦ୍ଧାର୍ଥ ସୌମ୍ୟ ରାଉତ। ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ନୟାପଲ୍ଲୀ ଥାନା ଅଧୀନ ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଜାତୀୟ ଘରୋଇ ବ୍ୟାଙ୍କକୁ ସିଦ୍ଧାର୍ଥ ୯ ମାସ ତଳେ ଯାଇଥିଲେ। ସେଠାରେ ନିଜକୁ ଏକ ବଡ ଘରୋଇ ମେଡିକାଲ୍‌ରେ ଡାକ୍ତର ଭାବେ କାର୍ଯ୍ୟରତ ଥିବା ପରିଚୟ ଦେଇଥିଲେ। ୧୮ଲକ୍ଷ ଟଙ୍କାର ଏକ କାର୍‌ ଲୋନ୍‌ ପାଇଁ ଆବଶ୍ୟକ କାଗଜପତ୍ର ସମ୍ପର୍କରେ ବୁଝାଶୁଝା କରିଥିଲେ। ପରେ ଚଞ୍ଚକତା କରି ଜାଲ କାଗଜପତ୍ର ବଳରେ ବ୍ୟାଙ୍କରୁ ୧୭ଲକ୍ଷ ୫୦ ହଜାର ଟଙ୍କା ଉଠାଇ କାର୍‌ କିଣିଥିଲେ। ମାତ୍ର ପରେ ୨ ମାସ ଧରି ଋଣ ନ ଶୁଝି କାରକୁ ଲୁଚାଇ ଦେବା ସହ ବ୍ୟାଙ୍କକୁ ଯୋଗଯୋଗ କରି ନ ଥିଲେ। ସିଦ୍ଧାର୍ଥଙ୍କ ଠିକଣା ଅନୁଯାୟୀ ଋଣ ପ୍ରଦାନକାରୀ ବ୍ୟାଙ୍କର କର୍ମଚାରୀ ପହଞ୍ଚିବା ବେଳକୁ ତାହା ଭୁଲ ଠିକଣା ବୋଲି ଜଣାପଡ଼ିିଥିଲା। ତନାଘନା ପରେ ବ୍ୟାଙ୍କରେ ଦାଖଲ କରିଥିବା ସମସ୍ତ ଡକ୍ୟୁମେଣ୍ଟ ନକଲି ବୋଲି ଜାଣିବାକୁ ମିଳିଥିଲା। ଏ ନେଇ ବ୍ୟାଙ୍କ ମ୍ୟାନେଜର ଯୋଗେନ୍ଦ୍ରନାଥ ନାୟକ ଗତ ଡିସେମ୍ବର ୨ ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ କେସ୍‌ (ନଂ. ୬୩୪/୨୦୧୯) ରୁଜୁକରି ତଦନ୍ତ ଚଳାଇଥିଲା। ପୋଲିସ ପ୍ରଥମେ କାରକୁ ଜବତ କରିଥିଲା। ୧ ମାସ ପରେ ଶୁକ୍ରବାର ଅଭିଯୁକ୍ତ ସିଦ୍ଧାର୍ଥଙ୍କୁ କଟକର ଗୋପାଳପୁରରୁ ଗିରଫ କରିଛି।

Share