ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତି ନେଇ ଜିଲାପାଳଙ୍କୁ ଦାବିପତ୍ର

ଧର୍ମଶାଳା,୨୨ା୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁରସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ଦାବିରେ ଗୁରୁବାର ବଣମଲ୍ଲି ସାହିତ୍ୟ ଓ ସେବା ସଙ୍ଗଠନ ପକ୍ଷରୁ ଜିଲାପାଳ ଓ ସିଡିଏମ୍‌ଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୧୦ ଦିନ ମଧ୍ୟରେ ଦାବି ପୂରଣ କରା ନ ଗଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ରକାଶ ଯେ, ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ନ ଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଡାକ୍ତର ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକେ ବହୁବାର ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଜେନାପୁର, ବୃନ୍ଦାଦେଈପୁର, ମର୍ଜିତାପୁର, କମାଗଡ, ଅଣ୍ଟିଆ, ପୁରୁଣାବଉଳମାଳ, ଚକ୍ରଧରପୁର ଓ ଅଞ୍ଜିରା ପଞ୍ଚାୟତର ୪୦ ହଜାରରୁ ଊର୍ଦ୍ଧ୍ୱଲୋକ ନିର୍ଭର କରିଥାନ୍ତି। ଅପରପକ୍ଷେ ସ୍ବାସ୍ଥ୍ୟକେନ୍ଦ୍ରଟି ୫୩ନମ୍ବର ଜାତୀୟ ରାଜପଥ ନିକଟରେ ହୋଇଥିବାରୁ ଦୁର୍ଘଟଣାରେ ଗୁରୁତରଙ୍କୁ ଏଠାକୁ ଅଣାଯାଉଛି। ଡାକ୍ତର ନ ଥିବାରୁ ଗରିବ ଶ୍ରେଣୀର ଲୋକମାନେ ରୋଗୀ ସେବା ଲାଗି ଦୂରଦୂରାନ୍ତକୁ ଯିବାକୁ ପଡୁଛି। ପାହାଡିଆ ଅଞ୍ଚଳ ହୋଇଥିବାରୁ ସାପକାମୁଡା ରୋଗୀ ମଧ୍ୟ ଆସିଥାନ୍ତି। ହେଲେ ଡାକ୍ତର କିମ୍ବା ଫାର୍ମାସିଷ୍ଟ ନ ଥିବାରୁ ପ୍ରାଥମିକ ସେବା ନ ପାଇ ୧୫କିମି ଦୂର ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡୁଛି। ଅନେକ ସମୟରେ ଗୁରୁତର ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଏଠାରେ ତୁରନ୍ତ ଖାଲି ପଡିଥିବା ପଦବୀ ପୁରଣ ପାଇଁ ବଣମଲ୍ଲି ସାହିତ୍ୟ ଓ ସେବା ସଙ୍ଗଠନର ସଭାପତି ନିର୍ମାଲ୍ୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଉପସଭାପତି ଲାଲମୋହନ ଶତପଥୀ, ଯଯାତି ପଟ୍ଟନାୟକ, ଦୀପକ ଦାସ ଓ ରୁଦ୍ର ନରାୟଣ ଓଝା ପ୍ରମୁଖ ଯାଜପୁର ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।