ଡାକ୍ତର ଫେରାଇଦେବା ପରେ ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ଭଦ୍ରକ ଅଫିସ,୧୪ା୧୦: ଡାକ୍ତର ଫେରାଇଦେବା ପରେ ମେଡିକାଲ ବାରଣ୍ଡାରେ ପ୍ରସବ କଲେ ଜଣେ ମହିଳା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚିକିତ୍ସାଳୟରେ।
ତିହିଡ଼ି ତଳଦୁମୁକା ଅଞ୍ଚଳର ଜଣେ ମହିଳା ପ୍ରସବ ପାଇଁ ସୋମବାର ସକାଳ ୯ଟାରେ ମେଡିକାଲରେ ପହଞ୍ଚିଥିଲେ। ମାତ୍ର ଡାକ୍ତର ତାଙ୍କୁ ଏଠି ପ୍ରସବ ହୋଇପାରିବ ନାହିଁ କହି କଟକ ଯିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ମହିଳାଙ୍କ ପରିବାର ଲୋକେ ୧୦୨କୁ ଫୋନ୍‌ କରିଥିଲେ। କିନ୍ତୁ ପ୍ରାୟ ୩ ଘଣ୍ଟା ମଧ୍ୟରେ ୧୦୨ ଜିଲା ଚିକିତ୍ସାଳୟକୁ ଆସିପାରି ନ ଥିଲା। ଫଳରେ ମହିଳା ଜଣକ ମଧ୍ୟାହ୍ନରେ ମେଡିକାଲ ବାରଣ୍ଡାରେ ଦୁଇଟି ଯାଆଁଳା କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏହି ଘଟଣା ଜିଲା ଚିକିତ୍ସାଳୟର ଦାୟିତ୍ୱହୀନତାକୁ ପଦାରେ ପକାଇଥିବାବେଳେ ପରିବାର ଲୋକେ ସ୍ବାସ୍ଥ୍ୟ ବିଭାଗର ଅଣଦେଖାକୁ ଦାୟୀ କରିଛନ୍ତି। ଯଦି ମହିଳା ଜଣକ ବିନା ଡାକ୍ତର ଓ ନର୍ସରେ ପ୍ରସବ କଲେ ତେବେ ଡାକ୍ତର କିଭଳି କଟକ ରେଫର୍‌ କରୁଥିଲେ ସେନେଇ ତଙ୍କ ଶ୍ୱଶୁର ଦୁଃଖିରାମ ଖିଲାର ଅଭିଯୋଗ କରିଛନ୍ତି।