ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଦେଶରେ ଏହି ମାରାତ୍ମକ ରୋଗ ବେଳକୁବେଳ ଭୟଙ୍କର ହେବାରେ ଲାଗିଛି। ଏହି ରୋଗର ଚିକିତ୍ସା କରିବା ସହିତ ସ୍କ୍ରିନିଂ ଏବଂ ସ୍ବାବ୍‌ ନମୁନା ପରୀକ୍ଷା କରିବା ଭଳି ବିପଜ୍ଜନକ କାର୍ଯ୍ୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ନିୟୋଜିତ ଅଛନ୍ତି। ଅନେକ ସମୟରେ ସେମାନେ ଲୋକମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟସେବାରେ ଲାଗିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ତୁରନ୍ତ ପୋଲିସ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ହସ୍ପିଟାଲ ପରିସରରେ, କୋଭିଡ୍‌-୧୯ଚିହ୍ନଟ ହୋଇଥିବା ଏବଂ କ୍ୱାରାଣ୍ଟାଇନରେ ଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଯାଞ୍ଚ କିମ୍ବା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବାବେଳେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହେଉଛି। ସେଠାରେ ଆବଶ୍ୟକ ପୋଲିସ ସୁରକ୍ଷା ଯୋଗାଇ ଦେବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share