ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ:ଡିଜି

କଟକ ଅଫିସ୍‌,୯ା୪: କରୋନା ମୁକାବିଲା ଦିଗରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ଆଗ ଧାଡ଼ିର ଯୋଦ୍ଧା। ହେଲେ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଅଶୋଭନୀୟ ଆଚରଣ ନିନ୍ଦାଜନକ। ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଓଡ଼ିଶା ପୋଲିସର ବଡ଼ ଦାୟିତ୍ୱ ବୋଲି ବୁଧବାର ପ୍ରକାଶ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ, କର୍ତ୍ତବ୍ୟରତ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ଆକ୍ରମଣ କରୁଥିବା ଅଭିଯୋଗ ଦୃଷ୍ଟିକୁ ଆସିଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଡିଜିପି ଅଭୟ ସମସ୍ତ ଏସ୍‌ପି ଏବଂ ଡିସିପିଙ୍କୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଉପରୋକ୍ତ ଅପରାଧରେ ଲିପ୍ତଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧ ଉପରେ ତତ୍‌କାଳ ଏଫ୍‌ଆଇଆର୍‌ ରୁଜୁ କରି ଘଟଣାର ଶୀଘ୍ର ତଦନ୍ତ କରାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି ଘଟଣାର ତଦନ୍ତକୁ ଜଣେ ଡିଏସ୍‌ପି କିମ୍ବା ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ତଦାରଖରେ କରି ଏଥିରେ ଚାର୍ଜଶିଟ୍‌ ଏବଂ ଚୂଡ଼ାନ୍ତ ଫର୍ମ ଏକ ମାସ ମଧ୍ୟରେ ଦାଖଲ କରାଯିବାକୁ ଏସ୍‌ପି ଏବଂ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share