ଡାକ ବିଭାଗକୁ ରିପୋର୍ଟ ତଲବ

କଟକ ଅଫିସ,୨୨।୫: ପୁରୀରେ ଥିବା ରେଳ ଡାକସେବା (ଆର୍‌ଏମ୍‌ଏସ୍‌)କୁ ଖୋର୍ଦ୍ଧା ରୋଡ୍‌କୁ ସ୍ଥାନାନ୍ତର ପାଇଁ ଚାଲିଥିବା ଯୋଜନାକୁ ବିରୋଧ ହୋଇଛି। ଏନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ଜଷ୍ଟିସ ସଙ୍ଗମ୍‌ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଡାକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଆବେଦନକାରୀ ଦର୍ଶାଇଥିଲେ ଯେ, ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ବିଭିନ୍ନ ସୁବିଧା ଯୋଗାଉଥିବା କାର୍ଯ୍ୟାଳୟଗୁଡ଼ିକୁ ପୁରୀରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ସ୍ବାଧୀନତା ପୂର୍ବରୁ ପୁରୀରେ ରେଳ ଡାକସେବା କାର୍ଯ୍ୟାଳୟ ରହିଛି। ବହୁ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଏଥିରେ ଉପକୃତ ହେଉଛନ୍ତି। ଘରଭଡ଼ାର ଆଳ ଦେଖାଇ କେନ୍ଦ୍ର ସରକାର ପୁରୀରୁ ଏହି ସଂସ୍ଥାକୁ ଖୋର୍ଦ୍ଧାରୋଡ ସ୍ଥାନାନ୍ତର କରିବା ପାଇଁ ଆଦେଶ ଦେଇଛନ୍ତି। ସଚେତନ ନାଗରିକ ମଞ୍ଚ ଓ ଶ୍ରୀଜଗନ୍ନାଥ ସେନା ଆଗତ କରିଥିବା ଏହି ମାମଲାକୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ପରିଚାଳନା କରିଥିଲେ। ଆସିଷ୍ଟାଣ୍ଟ ସଲିସିଟର୍‌ ଜେନେରାଲ୍‌ ଅନୁପ କୁମାର ବୋଷ ନୋଟିସ୍‌କୁ ଗ୍ରହଣ କରିଥିଲେ। ଏଥିସହ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୂର୍ବରୁ ଦାଏର ହୋଇଥିବା ମାମଲାର ଡବ୍ଲ୍ୟୁପିସି ୧୬୨୫୪/୨୦୦୯ ପୁରୁଣା ରେକର୍ଡକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share