ଡାବୁଗାଁରେ ‘ଲୁଣ ମିଳିବ ନାହିଁ’ ଗୁଜବ: ଅସାଧୁ ବ୍ୟବସାୟୀ ମାଲାମାଲ; ଚିନ୍ତାରେ ଖାଉଟି

ଡାବୁଗାଁ,୧୩।୫(ଡି.ଏନ୍‌.ଏ.): କରୋନାକୁ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ତେବେ ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଅହେତୁକ ମାତ୍ରାରେ ଦରବୃଦ୍ଧି କରାଇ ଖାଉଟି ମାନଙ୍କୁ ଶୋଷଣ କରୁୁଛନ୍ତି।ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଜନ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହେଉଛି। ଏପରି ଏକ ଘଟଣା କ୍ରମରେ ନବରଙ୍ଗପୁର ଜିଲା ଡାବୁଗାଁରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଲୁଣର ଦର ବୃଦ୍ଧି ପାଇଛି। ପୂର୍ବରୁ ୫ଟଙ୍କିଆ ଲୁଣ ପ୍ୟାକଟ ବସ୍ତା ୧୬୦ଟଙ୍କା ବିକ୍ରୀ କରୁଥିବା ବେଳେ ଏବେ ଡାବୁଗାଁ ବଜାରରେ ସେହି ବସ୍ତାକୁ ୪୦୦ଟଙ୍କାରେ ବିକ୍ରୀ କରୁଛନ୍ତି । ଲୁଣ ଆଉ ମିଳିବ ନାହିଁ ଗୁଜବ ହେବା ପରେ ଡାବୁଗାଁର ସମସ୍ତ ଲୋକ ୫ଟଙ୍କା ଲୁଣକୁ ୧୫ଟଙ୍କା ଦେଇ ଓ ୧୦ ଟଙ୍କା ଲୁଣକୁ ୨୦ ଟଙ୍କାରେ କିଣୁଥିବା ଦେଖିବାକୁ ମିଳିଛି। ଏଥିନେଇ ଜନସାଧାରଣରେ ଏକ ପ୍ରକାର ଛନକା ପଶିଯାଇଛି। ଏଣୁ ପ୍ରଶାସନ ପକ୍ଷରୁ ଦରଦାମ ନିୟନ୍ତ୍ରଣ କରି ଜନସାଧାରଣଙ୍କୁ ସୁବିଧା ଦରରେ ସାମଗ୍ରୀ ଯେପରି ପାଇବେ ତା’ର ବ୍ୟବସ୍ଥା ଯୋଗାଇଦେବାକୁ ଦାବି ହେଉଛି। ବୁଧବାର ପର୍ଯ୍ୟନ୍ତ ଡାବୁଗାଁରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ଚଢାଉ କିମ୍ବା ପଦକ୍ଷେପ ନେଉ ନ ଥିବା ସୂଚନା ମିଳିଛି।

Share