ଡାଲା ଅଟୋ ଚଳାଇ ପରିବାର ପୋଷୁଛନ୍ତି କବିତା

କେନ୍ଦୁଝର,୨୪।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ନହବେ ଗାଁକୁ ପ୍ରାୟ ୧୧ ବର୍ଷ ତଳେ ବୋହୂ ହୋଇ ଆସିଥିଲେ କବିତା। ଶଙ୍କର୍ଷଣ ପ୍ରଧାନଙ୍କୁ ବିବାହ କରିଥିଲେ। ଶାଶୁଘର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିଲା। କବିତାଙ୍କ ଦୁଇ ଝିଅ ଜନ୍ମ ହେବାପରେ ପରିବାର ସଦସ୍ୟ ସଂଖ୍ୟା ୧୦ ଛୁଇଁଥିଲା। ସ୍ବାମୀ ଓ ଶାଶୁଶ୍ବଶୁରଙ୍କ ରୋଜଗାରରେ ଘର ଚଳାଇବା ସମ୍ଭବ ନ ହେବାରୁ କିଛି ରୋଜଗାର କରିବା ଲକ୍ଷ୍ୟରେ ଘରୁ ପାଦ କାଢ଼ିଥିଲେ କବିତା। ମନରେ ସାହସ ଜୁଟାଇ ବ୍ୟାଙ୍କ ଋଣ କରି ଏକ ଡାଲା ଅଟୋ କିଣିଥିଲେ। ସେବେଠାରୁ ବର୍ଷେ ହେଲା ସେ ନିଜେ ଏହି ଅଟୋ ଚଳାଇ ଆସୁଛନ୍ତି। ମାଲ ପରିବହନ ଭଳି କାର୍ଯ୍ୟକୁ ସେ ଆଦରି ପରିବାର ସମ୍ଭାଳୁଛନ୍ତି। ନିଜର ୭ ଓ ୯ବର୍ଷର ଦୁଇ ଝିଅଙ୍କୁ ପାଠ ପଢ଼ାଇ ମଣିଷ କରିବା ଲକ୍ଷ୍ୟରେ ସେ ରହିଛନ୍ତି।
କବିତା କହିଛନ୍ତି, ମନରେ ସାହସ ବାନ୍ଧିଲେ ମହିଳାମାନେ ପୁରୁଷଙ୍କ ଭଳି ଯେ କୌଣସି କାମ କରିପାରିବେ। ପ୍ରଥମେ ଡାଲା ଅଟୋ ଚଳାଇବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଥିଲା। ଲୋକେ କାଳେ ଟାହିଟାପରା କରିବେ ସେହି ଭୟ ରହିଥିଲା। କିଛିଦିନ ଅଟୋ ଚଳାଇବା ପରେ ତାଙ୍କ ମନୋବଳ ଦୃଢ଼ ହୋଇଥିଲା। ଏବେ ପ୍ରତିଦିନ ନିଜ ଅଞ୍ଚଳରେ ଥିବା ହାଟକୁ ବିଭିନ୍ନ ରାସନ ସାମଗ୍ରୀ ଅଟୋରେ ନେଇ ବିକ୍ରି କରୁଛନ୍ତି। ଏଥିରେ ସ୍ବାମୀ ଶଙ୍କର୍ଷଣ ସହଯୋଗ କରୁଛନ୍ତି। ଅଟୋ ଚଳାଇବା ପରେ ପରିବାର ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିଛି। ଦୁଇଝିଅଙ୍କୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ାଇବା ସହ ପ୍ରତି ମାସରେ ଅଟୋ କିସ୍ତି ଶୁଝୁଛନ୍ତି। ଗାଁ ପୋଷ୍ଟ ଅଫିସରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଦୁଇଝିଅଙ୍କ ଆକାଉଣ୍ଟ ଖୋଲି ଅଳ୍ପ କିଛି ଅର୍ଥ ସଞ୍ଚୟ କରିବାରେ ସଫଳ ହୋଇଛନ୍ତି।
କବିତାଙ୍କ ସାହସ ଓ କର୍ମକୁଶଳତା ଦେଖି ନହବେ ଗ୍ରାମବାସୀ ଏବେ ତାଙ୍କର ପ୍ରଶଂସକ ପାଲଟିଛନ୍ତି। ଦୁଃଖକଷ୍ଟରେ ଚଳିବା ଅପେକ୍ଷା ପରିଶ୍ରମ କରି ରୋଜଗାର କରିବା ଭଲ ବୋଲି କହନ୍ତି କବିତା।