ଡାହାଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୩ କୋର୍ଟଚାଲାଣ

ରାଇସୁଆଁ, ୧୧।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ହେସେଲଘୁଟ ସାହିରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୋଲିସ ରବିବାର ରାତିରେ ୩ ଜଣଙ୍କୁ ଗିରଫକରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଉକ୍ତ ଗ୍ରାମର ଶଙ୍କୁରୁ ପୂର୍ତ୍ତି, ପେଟୁ ପୂର୍ତ୍ତି ଓ କଙ୍କୁଆ ପୂର୍ତ୍ତି। ଆକ୍ରମଣର ଶିକାର ମହିଳା ହେଲେ ବିଧବା ରାଧି ପୂର୍ତ୍ତି।
ପ୍ରକାଶ ଯେ, ଗତ ୮ ତାରିଖରେ ଶଙ୍କୁରୁ, ପେଟୁ ଓ କଙ୍କୁଆ ଡାହାଣୀ ସନ୍ଦେହରେ ରାଧିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। କେନ୍ଦୁଝର ଜିଲାର ଆଦିବାସୀ ଇଲାକାରେ ବହୁ ସମୟରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟିଚାଲିଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।