ଡାହୁକା ନଦୀରେ ନାହିଁ ଗାର୍ଡଓ୍ବାଲ୍‌ : ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା

ନୂଆଗାଁ,୭।୮(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତସ୍ଥ ଏହି ଗ୍ରାମକୁ ଲାଗି ପ୍ରବାହିତ ହେଉଛି ଡାହୁକା ନଦୀ। ତେବେ ଏହି ନଦୀରେ ଗାର୍ଡଓ୍ବାଲ ନ ଥିବାରୁ ବର୍ଷା ଯୋଗୁ ଅଧିକ ଜଳ ପ୍ରବାହିତ ହୋଇ ଧନଜୀବନ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏଥିଯୋଗୁ ଗ୍ରାମରେ ବସବାସ କରୁଥିବା ୧୫୦ ପରିବାର ମଧ୍ୟରୁ ନଦୀକୂଳସ୍ଥିତ ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷାଦିନେ ଅଧିକ ପାଣି ନଦୀରେ ଆସୁଥିବାରୁ କ୍ରମଶଃ ନଦୀ ପଠା ଓ ଲୋକମାନଙ୍କ ରେକର୍ଡଭୁକ୍ତ ଜାଗା, ଘରବାଡ଼ି ଖାଇବାକୁ ବସଲାଣି । ବର୍ଷା ହେଲେ ସମ୍ପ୍ରତି ନଦୀ ପାଣି ଲୋକଙ୍କ ଘରେ ପଶିଆସୁଛି। ଅଧିକ ବର୍ଷା ହେଉଥିବା ସମୟରେ ରାତିରେ ଲୋକେ ଶୋଇଥିବାବେଳେ ଘର ଭାଙ୍ଗିଯିବା ସହ ଧନଜୀବନ ଭସେଇ ନେବା ଆଶଙ୍କାରେ ଗୃହର ଜିନିଷପତ୍ର ଆଦି ଖାଲି କରି ଅନ୍ୟ ଦୁଆରେ ଆଶ୍ରୟ ନେଉଥିବା ଶ୍ରୀଧର ନାୟକ, ବସନ୍ତ ନାୟକ, ଅକ୍ରୁର ନାୟକ, କରୁଣାକର ପ୍ରଧାନ, ମଦନମୋହନ ପ୍ରଧାନ, ବନମାଳୀ ପ୍ରଧାନ ପ୍ରମୁଖ ଗ୍ରାମବାସୀ କହିଛନ୍ତି। ବାପଅଜା ସମୟରୁ ଜାଗା କିଣି ଘର ନିର୍ମାଣ କରି ରହୁଥିବାବେଳେ ଏବେ ନଦୀ ପାଣିରେ ତାହା ଭାସିଯିବା ଚିନ୍ତାରେ ସ୍ଥାନୀୟ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଏ ସମସ୍ୟା ନେଇ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କଠାରୁ ରାଜନେତାଙ୍କୁ ଗୁହାରୀ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାର୍ଡଓ୍ବାଲ୍‌ ନିର୍ମାଣ ପାଇଁ ସରପଞ୍ଚ, ବିଧାୟକ, ସାଂସଦ, ବ୍ଲକ କାର୍ଯ୍ୟାଳୟସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର କାକୁତିମିନତୀ ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହି ପରିସ୍ଥିତିରେ କେବଳ ପ୍ରତିଶ୍ରୁତି ହିଁ ମିଳିଛି। ଖୁବ୍‌ଶୀଘ୍ର ଯଦି ବାସଗୃହ ନିକଟରେ ଗାର୍ଡଓ୍ବାଲ ନିର୍ମାଣ କରା ନ ଯାଏ ତେବେ ପାରାଢିପିବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ବିଷୟରେ ସରପଞ୍ଚ ସବିତା ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଡାହୁକା ନଦୀରେ ଗାର୍ଡଓ୍ବାଲ ନିର୍ମାଣ କରିବା ପାଇଁ ଆକ୍ସନ ପ୍ଲାନ୍‌ରେ ଆବେଦନ ରହିଛି। ଅନୁମୋଦନ ପରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସରପଞ୍ଚ ମତ ଦେଇଥିଲେ। ସରପଞ୍ଚଙ୍କ ସହ ଆଲୋଚନା କରି କିପରି ଶୀଘ୍ର ନଦୀରେ ଗାର୍ଡଓ୍ବାଲ ନିର୍ମାଣ କରାଯାଇ ପାରିବ ସେ ବିଷୟରେ ନିଷ୍ପତ୍ତି ନେବେ ବୋଲି ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ ପ୍ରକାଶ କରିଛନ୍ତି ।

Share