Categories: ମେଟ୍ରୋ

ଡିଅର ୨୦୧୯: ହସାଇ ନାକେଦମ୍‌ କଲେ

ଭୁବନେଶ୍ୱର, ୩୦।୧୨ (ବ୍ୟୁରୋ) ରସଗୋଲା ପଶ୍ଚିମବଙ୍ଗର, ତାଙ୍କୁ ଦେଇ ଦିଅ। ରସଗୋଲା ପରି ବେଙ୍ଗଲୀ ଲୋକ ମଧ୍ୟ ଧଳା ଓ ନରମ। ସେ ଦୃଷ୍ଟିରୁ ରସଗୋଲା ତାଙ୍କର ବୋଲି ଭୁବନେଶ୍ୱର କମେଡିଆନ୍‌ କ୍ଲବ୍‌ର ଆକାଶ ବାଘଲ କହିବା ସହ ଉପସ୍ଥିତ ଦର୍ଶକଙ୍କୁ ହସେଇ ହସେଇ ନାକେଦମ୍‌ କରିଥିଲେ। ଅବସର ଥିଲା ଭୁବନେଶ୍ୱରସ୍ଥିତ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ରବିବାର ଆୟୋଜିତ ଏକ ସ୍ବତନ୍ତ୍ର କମେଡି ଶୋ ‘ଡିଅର ୨୦୧୯’।
ଭୁବନେଶ୍ୱର କମେଡିଆନ କ୍ଲବ୍‌ର ଆକାଶଙ୍କ ବ୍ୟତୀତ ସମର ପ୍ରତାପ ନାୟକ ଓ ଚେନ୍‌ ଜୋକର କ୍ଲବ୍‌ର ପ୍ରିୟରଞ୍ଜନ ସାହୁ, ସୂର୍ଯ୍ୟ ପ୍ରକାଶଙ୍କ କମେଡି ଚୁଟକୁଲାରେ ସାରା ପ୍ରେକ୍ଷାଳୟ ହସରେ ପୂରିଉଠିଥିଲା। ଶୋ’କୁ ପ୍ରତ୍ୟୁଷା ବଙ୍ଗାରୀ ତାଙ୍କ ଚୁଲବୁଲି ଚୁଟ୍‌କୁଲାରୁ ଆରମ୍ଭ କରିଥିଲେ। ଏହାପରେ ଆକାଶ ଓ ରୋଶନ ବିଶୋୟୀ ଦୁହେଁ ଏ, ବି, ସି, ଡି ବିଷୟବସ୍ତୁ ଉପରେ ଏକ ହାସ୍ୟ ଅଭିନୟ ପ୍ରସ୍ତୁତ କରିଥିଲେ, ଯାହା ନୂଆବର୍ଷର ନୂଆ ଯୋଜନା ଉପରେ ଆଧାରିତ ଥିଲା। ଏଥିରେ ଆକାଶ ରୋଶନଙ୍କ ବାପାଙ୍କ ଭୂମିକା ନିର୍ବାହ କରିଥିବାବେଳେ ରୋଶନ ଏକ ନଟ୍‌ଖଟି ପିଲାର ଭୂମିକାରେ ନଜରକୁ ଆସିଥିଲେ। ସେମାନଙ୍କ ଉପସ୍ଥାପନା ଶୈଳୀ ଉପସ୍ଥିତ ଦର୍ଶକଙ୍କୁ ଖୁବ୍‌ ହସେଇଥିଲା। ଏହାପରେ ଅନ୍ୟ ଏକ ହାସ୍ୟ ଅଭିନୟ ପରିବେଷିତ ହୋଇଥିଲା, ଯାହାର ବିଷୟବସ୍ତୁ ଥିଲା ଜଣେ ସାଧାରଣ କର୍ମଚାରୀ ନୂଆ ବର୍ଷରେ ତା’ର କମ୍ପାନୀ ମାଲିକଙ୍କଠାରୁ କିପରି ଛୁଟି ଆଣିବ। ଏଥିରେ ସମର ଓ ସୂର୍ଯ୍ୟ ଅଭିନୟ କରିଥିଲେ। ଏହି ଅଭିନୟରେ ସମର ସୂର୍ଯ୍ୟଙ୍କ କର୍ମଚାରୀ ହୋଇଥିଲେ। ସେ ସୂର୍ଯ୍ୟଙ୍କ ଝିଅକୁ ଡେଟ୍‌ କରିବାକୁ ଥାଇଲାଣ୍ଡ ଯିବା ପାଇଁ ଛୁଟି ପାଇଁ ଆବେଦନ କରିଥିଲେ। ଦର୍ଶକମାନେ ଲେଖି ଦେଇଥିବା ବିଭିନ୍ନ ପ୍ରଖ୍ୟାତ୍‌ ବଲିଉଡ ଡାଇଲଗ୍‌କୁ ସେମାନେ ଏଥିରେ ବ୍ୟବହାର କରିଥିଲେ। ପରେ ପରେ ଆକାଶ, ସମର, ପ୍ରତ୍ୟୁଷା, ପ୍ରିୟରଞ୍ଜନ, ଦିପନ୍ବୀତ ଦାସମହାପାତ୍ର, ସୂର୍ଯ୍ୟ ଓ ରୋଶନଙ୍କ ଦ୍ୱାରା ବହୁ ହାସ୍ୟ ଅଭିନୟ ପ୍ରସ୍ତୁତ କରାଯାଇଥିଲା। ଏହି ସବୁ ମଧ୍ୟରେ ବିଭାସ ରଥ ଆଜିକାଲିର ଗଣମାଧ୍ୟମର କାର୍ଯ୍ୟକାରିତା ନେଇ ଏକ ସ୍ବତନ୍ତ୍ର ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ରୋଶନ ସଞ୍ଚାଳନ କରିଥିଲେ।

Share