ଡିଆରଏମ୍‌ଙ୍କ ରୂପ୍‌ସା ଜଙ୍କଶନ ପରିଦର୍ଶନ: ୧୦ରେ ଆସିବେ ଜେନେରାଲ ମ୍ୟାନେଜର

ରୂପ୍‌ସା, ୮।୧(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନର ରେଳବାଇ ମ୍ୟାନେଜର (ଡିଆରଏମ୍‌) ମନୋରଞ୍ଜନ ପ୍ରଧାନ ମଙ୍ଗଳବାର ତୃତୀୟଥର ପାଇଁ ବାଲେଶ୍ୱର ଜିଲା ଅଧିନ ରୂପ୍‌ସା ରେଳ ଜଙ୍କଶନ ପରିଦର୍ଶନ କରିଛନ୍ତି। ଆସନ୍ତା ୧୦ ତାରିଖରେ ରେଳପଥର ଜେନେରାଲ ମ୍ୟାନେଜର ଏସ୍‌.କେ. ମହାନ୍ତି ଏହି ଜଙ୍କଶନକୁ ପରିଦର୍ଶନରେ ଆସିବା କାର୍ଯ୍ୟକ୍ରମ ଥିବାରୁ ଡିଆରଏମ୍‌ ବାରମ୍ବାର ଆସି ବିଭିନ୍ନ କାର୍ଯ୍ୟ ତଦାରଖ କରୁଛନ୍ତ। ନିର୍ମାଣାଧିନ ଫୁଟ ଓଭରବ୍ରିଜ ସମ୍ପ୍ରସାରଣ କାର୍ଯ୍ୟ, ଯାତ୍ରୀ ପ୍ରତୀକ୍ଷାଳୟ, ପ୍ଲାଟଫମୟର ପରିଷ୍କାର ପରିଚ୍ଛନ୍ନତା, ଟିକେଟ କାଉଣ୍ଟର, ଶୌଚାଳୟ ଆଦି ବୁଲି ଦେଖିଥିଲେ। ଷ୍ଟେଶନର ସାମଗ୍ରିକ ଉନ୍ନତିକରଣ କାର୍ଯ୍ୟ ତଦାରଖ କରିଥିଲେ। ରୂପ୍‌ସା-ବାଙ୍ଗିରିପୋଷି ନୂତନ ରେଳ ଲାଇନ କାର୍ଯ୍ୟ ପରିର୍ଦାନ କରି ବାଙ୍ଗରିପୋଷିରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଫେରି ରୂପ୍‌ସାରେ ଅପରାହ୍ନ ସାଢ଼େ ୪ଟାରେ ପହଞ୍ଚିଥିଲେ। ଦୀର୍ଘ ୩୦ମିନିଟ୍‌ ସେ ଜଙ୍କଶନରେ ରହି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଷ୍ଟେସନ ମ୍ୟାନେଜର ମେଘରାୟ ହାଁସଦା, ଆରପିଏଫ୍‌ ଆଇଆଇସି ଜଗଦାନନ୍ଦ ମହାପାତ୍ର, ଏଏସ୍‌ଆଇ ଏସ୍‌. ପାତ୍ରଙ୍କ ସମେତ ରେଳବାଇ ଥାନା ପୋଲିସ ଉପସ୍ଥିତ ଥିଲେ। ପୂର୍ବରୁ ଡିଆରଏମ୍‌ ଗତ ନଭେମ୍ବର ୨୮ ଓ ଡିସେମ୍ବର ୨୮ରେ ଷ୍ଟେଶନ ପରିଦର୍ଶନ କରିଥିଲେ।