ଡିଆର୍‌ଏମ୍‌ଙ୍କ ରୂପ୍‌ସା ଜଙ୍କଶନ ପରିଦର୍ଶନ

ରୂପ୍‌ସା, ୨୮।୧୧ (ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ର ନୂତନ ରେଳବାଇ ମ୍ୟାନେଜର ମନୋରଞ୍ଜନ ପ୍ରଧାନ ଗୁରୁବାର ବାଲେଶ୍ୱର ଜିଲାର ରୂପ୍‌ସା ରେଳ ଜଙ୍କଶନ ପରିଦର୍ଶନ କରିଛନ୍ତି। ନିର୍ମାଣାଧିନ ଫୁଟ୍‌ ଓଭରବ୍ରିଜ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କରିବା ସହ ସେ ଯାତ୍ରୀ ପ୍ରତୀକ୍ଷାଳୟ ଟିକେଟ କାଉଣ୍ଟର, ପ୍ଲାଟଫର୍ମ, ଶୌଚାଳୟ, ଆରପିଏଫ୍‌ ଆଉଟ୍‌ପୋଷ୍ଟ ଆଦି ବୁଲି ଦେଖିଥିଲେ। ଏହି ଅବସରରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଭଗବାନ ମହାପାତ୍ର, ସମ୍ପାଦକ ସୁଧାକର ଗିରି, ଉପଦେଷ୍ଟା ବରଦା ପ୍ରସନ୍ନ ପଟ୍ଟନାୟକ, କର୍ମକର୍ତ୍ତା ନିରଞ୍ଜନ ପଣ୍ଡାଶର୍ମା, ନିରଞ୍ଜନ ବାରିକ, ନିତ୍ୟାନନ୍ଦ ପଟ୍ଟନାୟକ, ଭିକାରୀ ଚରଣ ମିସ୍ତ୍ରୀ, ରବୀନ୍ଦ୍ର ପ୍ରଦାନ, ଚକ୍ରଧର ଆଚାର୍ଯ୍ୟ ଓ ବିଧାନ ରାୟ ପ୍ରମୁଖ ଡିଆର୍‌ଏମ୍‌ ପ୍ରଧାନଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିବା ସହ ଷ୍ଟେଶନର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଫୁଟ୍‌ ଓଭରବ୍ରିଜ୍‌ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ ହେବା, ଷ୍ଟେଶନ ସମ୍ମୁଖରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସ୍ଥାନାନ୍ତର, ଉତ୍ତରକେବିନ୍‌ ରାସ୍ତାର ପ୍ରଶସ୍ତିକରଣ, ଭଗବାନପୁର ଗ୍ରାମ ଲେଭଲ କ୍ରସିଂଠାରୁ ବାମଡ଼ା ଲେଭଲକ୍ରସିଂ ପର୍ଯ୍ୟନ୍ତ ସ୍ଲିପ୍‌ ରୋଡ଼ ନିର୍ମାଣ ଆଦି ଦିଗରେ ବିଭାଗୀୟ ପଦକ୍ଷେପ ନିଆଯିବା ପାଇଁ ପରିଷଦର କର୍ମକର୍ତ୍ତା ଦାବି କରିଥିଲେ। ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଡିଆର୍‌ଏମ୍‌ ପ୍ରଧାନ କହିଥିଲେ। ଡିଆର୍‌ଏମ୍‌ ରୂପ୍‌ସା ବାଙ୍ଗିରିପୋଷି ଲାଇନ୍‌ ପରିଦର୍ଶନ କରି ଫେରିବା ବେଳେ ରୂପ୍‌ସା ଷ୍ଟେଶନରେ ଅଟକିଥିଲେ। ତାଙ୍କ ସହ ବିଭାଗୀୟ ଅଧିକାରୀଙ୍କ ସମେତ ଷ୍ଟେଶନ ମ୍ୟାନେଜର ଶ୍ରୀପତି ରାଉତ, ଏମ୍‌. ହାଁସଦା, ଆରପିଏଫ୍‌ ଥାନା ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ।

୧-ରୂପ୍‌ସା-ଗୁରୁବାର- ରୂପ୍‌ସା ଜଙ୍କଶନରେ ଡିଆର୍‌ଏମ୍‌ ପରିଦର୍ଶନ କରୁଛନ୍ତି।