ଡିଏଭି କଲେଜରେ ଜିତେନ୍ଦ୍ର, ହ୍ୟୁମାନଙ୍କ କାଉନସେଲିଂ: ଛାତ୍ରୀଛାତ୍ରଙ୍କୁ ଦେଲେ ସଫଳତାର ମନ୍ତ୍ର

ଟିଟିଲାଗଡ଼, ୧୫।୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ କଲେଜ ଦୁଇ ପ୍ରାକ୍ତନ ଛାତ୍ର ତଥା ସେଲିବ୍ରେଟି ଜିତେନ୍ଦ୍ର ମିଶ୍ର ଏବଂ ହ୍ୟୁମାନ ସାଗରଙ୍କ ପାଇଁ ଗର୍ବିତ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ଉଭୟ କଳାକାର କଲେଜ କର୍ତ୍ତୃପକ୍ଷଙ୍କ ନିମନ୍ତ୍ରଣକ୍ରମେ ସହସ୍ରାଧିକ ଛାତ୍ରୀଛାତ୍ରଙ୍କୁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମରେ ଯୋଗଦେଇ ସଫଳତାର ସୂତ୍ର ଶିକ୍ଷା ଦେଇଥିଲେ। ପ୍ରାରମ୍ଭିକ ଶିକ୍ଷା ସମାପ୍ତ ପରେ ଫିଲ୍ମ କ୍ୟାରିୟରରେ କିଭଳି ଜଣେ ସ୍ପଟବୟରୁ ଅନ୍ତର୍ଜାତୀୟସ୍ତରରେ ଫିଲ୍ମ ପ୍ରଯୋଜକ ନିର୍ଦ୍ଦେଶକ ତଥା ବିଭିନ୍ନ ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ଜୁରି ସଦସ୍ୟ ଭାବରେ ସଫଳ ହୋଇଥିଲେ ଜିତେନ୍ଦ୍ର ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଉପସ୍ଥାପନ କରି ଉତ୍ସାହ ଭରି ଦେଇଥିଲେ। ଆଗ୍ରହୀ ପ୍ରତିଭାଙ୍କୁ ଚଳଚ୍ଚିତ୍ର ଦିଗରେ ସେ ପ୍ରୋତ୍ସାହନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ।
ହ୍ୟୁମାନ ଜଣେ ସଫଳ ଓଡିଆ ଚଳଚ୍ଚିତ୍ର ଗାୟକ ଭାବେ ପ୍ରସିଦ୍ଧି ହାସଲ କରିଛନ୍ତି। ଯେ କୌଣସି କ୍ୟାରିୟର ଗଢିବା ପାଇଁ ଜଣେ ଉତ୍ତମ ତଥା ଚରିତ୍ରବାନ ଶିକ୍ଷାର୍ଥି ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ସଫଳତାର ମନ୍ତ୍ର କହିଥିଲେ। ଉଭୟ କଳାକାରଙ୍କ ସହ ସେଲଫି ଉଠାଇବାକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କଲେଜ ଅଧ୍ୟକ୍ଷ ସୁଶିଲ ପାଢୀ ଉଭୟ ଯୁବ ସେଲେବ୍ରେଟିଙ୍କୁ ସ୍ବାଗତ କରିବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ। ମେଜର ଡ. ମଧୁସୂଦନ ମିଶ୍ର ସଭା ପରିଚାଳନା କରିଥିବା ଅଧ୍ୟାପକ ଡ. ରମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଡ, ନନ୍ଦକୁମାର ହୋତା, ଡ. ଉମେଶ ସାହୁ, ଡ. ସଞ୍ଜିବ ତ୍ରିପାଠୀ, ବିଧାନ ମିଶ୍ର, ପ୍ରାକ୍ତନ ଛାତ୍ର ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସନ୍ତୋଷ ମହାନ୍ତି, ମଦନମୋହନ ପୃଷ୍ଟି, କଣ୍ଠଶିଳ୍ପୀ ପ୍ରେମ ସିହ୍ନା, ସୌରଭ ଜୈନ, ଶ୍ରୀମାନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share