ଡିଏଲ୍‌, ଏଲ୍‌ଏଲ୍‌ ସ୍ଲଟ୍‌ ବୁକିଂ ବାତିଲ: ସେପ୍ଟେମ୍ବର ୩୦ ଯାଏ ଗାଡ଼ି କାଗଜପତ୍ର ବୈଧ

କଟକ ଅଫିସ,୧୨।୬: ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲନର୍ସ ଲାଇସେନ୍ସ (ଏଲଏଲ୍‌) ଟେଷ୍ଟ ପୁଣି ଥରେ ଅନ୍ୟାଦେଶ ଯାଏ ବାତିଲ ହୋଇଛି। ଗୁରୁବାରଠାରୁ ଡିଏଲ୍‌ ଟେଷ୍ଟ ନିମନ୍ତେ ସ୍ଲଟ୍‌ ବୁକିଂ ପାଇଁ ଘୋଷଣା କରାଯାଇଥିଲା। ହେଲେ ‘ସାରଥୀ’ ପୋର୍ଟାଲ୍‌ରେ ସମସ୍ୟା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ସୂଚନା ଅନୁଯାୟୀ, କରୋନା ଭୂତାଣୁ ସଂକ୍ରମଣ ଆତଙ୍କ ପରେ ମାର୍ଚ୍ଚ ୧୮ରୁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ଓ ମାର୍ଚ୍ଚ ୨୫ରୁ ଟେଷ୍ଟ ବନ୍ଦ ଥିଲା। ଫଳରେ ବହୁ ସଂଖ୍ୟାରେ ଆବେଦନ ମଧ୍ୟ ପଡ଼ି ରହିଥିଲା। ସମସ୍ତ ସ୍ଲଟ୍‌ ବୁକିଂ ଆବେଦନକୁ ବାତିଲ କରିଦିଆଯାଇଛି। ଗୁରୁବାରଠାରୁ ଡିଏଲ୍‌ ଟେଷ୍ଟ ଏବଂ ଏଲ୍‌ଏଲ୍‌ ପାଇଁ ୨୨ ତାରିଖରୁ ସ୍ଲଟ୍‌ ବୁକିଂ କରାଯିବ ବୋଲି ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିସହ ୧୮ରୁ ଡିଏଲ୍‌ ଓ ୨୯ରୁ ଏଲ୍‌ଏଲ୍‌ ଟେଷ୍ଟ ଆରମ୍ଭ କରାଯିବାକୁ କୁହାଯାଇଥିଲା। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗୁରୁବାର ଡିଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ କରିବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ଗୁଡ଼ିକରେ ଭିଡ଼ ଜମିଥିଲା। କିନ୍ତୁ ସାରଥୀ ପୋର୍ଟାଲ୍‌ରେ ତ୍ରୁଟି ଯୋଗୁ ବୁକିଂ ହୋଇପାରି ନ ଥିଲା। ଫଳରେ ଗୁରୁବାର ଅନ୍ୟ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସ୍ଲଟ୍‌ ବୁକିଂ ଏବଂ ଟେଷ୍ଟ ପାଇଁ ନୂଆ ତାରିଖ ଘୋଷଣା କରାଯିବ। ସାରଥୀ ପୋର୍ଟାଲ କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ସୂଚନା ଦିଆଯିବ। ସ୍ଲଟ୍‌ ବୁକିଂ ପାଇଁ ଯେଉଁ ଫି’ ଦାଖଲ ହୋଇଛି, ତାହା କାୟମ ରହିବ। ମାର୍ଚ୍ଚ ୧୮ରୁ ଯେଉଁ ଏଲଏଲ୍‌ଗୁଡ଼ିକର ସମୟସୀମା ଶେଷ ହୋଇଛି, ତାହାର ବୈଧତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପଚରାଉଚରା ପାଇଁ ଆବେଦନକାରୀମାନେ ଆର୍‌ଟିଓକୁ ନ ଯିବା ପାଇଁ ପରିବହନ କମିଶନର ତଥା ଏସ୍‌ଟିଏର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେପ୍ଟେମ୍ବର ୩୦ ଯାଏ ଗାଡ଼ି କାଗଜପତ୍ର ବୈଧ

ଯାନବାହନର କାଗଜପତ୍ର ବୈଧତାକୁ ସେପ୍ଟେମ୍ବର ୩୦ ଯାଏ ବଢ଼ାଇ ଦିଆଯାଇଛି। କେନ୍ଦ୍ର ସରକାର ମଙ୍ଗଳବାର ଏନେଇ ଘୋଷଣା କରିବା ପରେ ରାଜ୍ୟ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଗୁରୁବାର ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଫେବୃୟାରୀ ପହିଲାରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଶେଷ ହେଉଥିବା ମାଲ୍‌ ପରିବହନ, ଯାତ୍ରୀ ପରିବହନ ଓ ସ୍କୁଲ ଗାଡ଼ିଗୁଡ଼ିକର ଫିଟନେସ୍‌ ଏବଂ ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସର ବୈଧତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଛି। ମାର୍ଚ୍ଚ ୧୮ରୁ ଜୁନ୍‌ ୩୦ ଭିତରେ ଶେଷ ହେଉଥିବା ଲର୍ନିଂ ଲାଇସେନ୍ସଗୁଡ଼ିକର ବୈଧତାକୁ ମଧ୍ୟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେହିପରି ଯାତ୍ରୀବାହୀ ବସ୍‌ଗୁଡ଼ିକର ପରମିଟ୍‌ ମଧ୍ୟ ବଢ଼ିଛି। ଫେବୃୟାରୀ ୧ରୁ ଜୁନ୍‌ ୩୦ ଭିତରେ ଯେଉଁ ପରମିଟ୍‌ ଶେଷ ହେଉଛି, ତାହା ଏଣିକି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ରହିବ ବୋଲି ବିଭାଗ ସୂଚନା ଦେଇଛି।

Share