ଲକ୍ଷ୍ନୌ,୧୫।୯: ଉତ୍ତର ପ୍ରଦେଶ ସରକାର ଏବେ ଡ୍ରାଇଭିଂ ଲାଇସେନ୍ସ ପରେ ରେଜିଷ୍ଟ୍ରେଶନ ପ୍ରମାଣ ପତ୍ର(ଆର୍ସି)କୁ ବି ସ୍ମାର୍ଟ କାର୍ଡ ଭଳି କରିବାକୁ ଯାଉଛନ୍ତି। ଡିଜିଟାଲାଇଜେଶନକୁ ପ୍ରୋତ୍ସାହନ ଦେବାକୁ ଯାଇ ସରକାର ଏବେ ଏହି ପଦକ୍ଷେପ ନେଉଥିବା କୁହାଯାଉଛି। ପରିବହନ ଅଧିକାରୀଙ୍କ କହିବା କଥା ହେଲା ଡିଏଲ୍ ଓ ଆର୍ସିରେ ବହୁ ପରିମାଣରେ ନକଲ କରାଯାଉଛି। ତେଣୁ ଯାଞ୍ଚ ବେଳେ ଏହା ନକଲି କି ଅସଲି ତାହା ଜାଣିବା କଷ୍ଟକର ହୋଇଯାଉଛି। ଏହା ବତୀତ ଆର୍ସି କାଗଜ ପତ୍ର ଝମେଲାରୁ ମୁକ୍ତି ପାଇବାକୁ ମଧ୍ୟ ସ୍ମାର୍ଟ କାର୍ଡର ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ, ଦିଲ୍ଲୀ, ମୁମ୍ବଇ ଭଳି ସହରରେ ବହୁ ପୂର୍ବରୁ ଏହା କରାଯାଇଛି।