Categories: ଖେଳ

ଡି’କକ୍‌ ଦକ୍ଷିଣ ଆଫ୍ରିକା ଦିନିକିଆ ଅଧିନାୟକ

ଜୋହାନ୍ସବର୍ଗ, ୨୨ା୧ (ଏଏଫ୍‌ପି)-ଏକ ଦୀର୍ଘ ମିଆଦି ଯୋଜନା ପରିପ୍ରେକ୍ଷୀରେ କ୍ୱିଣ୍ଟନ ଡି’କକ୍‌ଙ୍କୁ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଟିମ୍‌ର ଅଧିନାୟକ ମନୋନୀତ କରାଯାଇଛି। ନିଯୁକ୍ତି ପରେ ଫେବୃୟାରୀ ୪ରେ କେପ୍‌ଟାଉନ୍‌ରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ଥର ସେ ତାଙ୍କ ଦଳର ଅଧିନାୟକତ୍ୱ କରିବେ। ଏହି ସିରିଜ ପାଇଁ ଘୋଷଣା କରାଯାଇଥିବା ୧୫ ଜଣିଆ ଦଳରୁ ଟେଷ୍ଟ ଓ ଟି୨୦ ଅଧିନାୟକ ଫାଫ୍‌ ଡୁ ପ୍ଲେସି ବାଦ୍‌ ପଡ଼ିଛନ୍ତି। ଇଣ୍ଡିପେଣ୍ଡେଣ୍ଟ ସିଲେକ୍ଟର ଲିଣ୍ଡା ଜୋଣ୍ଡି କହିଛନ୍ତି ଡୁ’ପ୍ଲେସି ବାଦ୍‌ ପଡ଼ିଥବାରୁ ତାଙ୍କ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରର ଅନ୍ତ ଘଟିଛି ବୋଲି ଭାବିବା ଠିକ ନୁହେଁ। ଉଭୟ ଫାଫ୍‌ ଏବଂ କାଗିସୋ ରାବାଡା ବହୁ କ୍ରିକେଟ ଖେଳି ସାରିଥିବାରୁ ସେମାନଙ୍କୁ ଏହି ସିରିଜରୁ ବିଶ୍ରାମ ପାଇଁ ନିଷ୍ପତ୍ତି ନିଆଯାଇଛି। ଦିନିକିଆ ସିରିଜ ଶେଷ ହେବା ପରେ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଏକ ଭିନ୍ନ ଦଳ ଘୋଷଣା କରାଯିବ। ଏହା ପରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ଏବଂ ଦିନିକିଆ ସିରିଜ ଖେଳିବ। ଜୋଣ୍ଡି କହିଛନ୍ତି ୨୦୨୩ କ୍ରିକେଟ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଡି’କକ୍‌ଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଛି। ୨୭ ବର୍ଷୀୟ ଡି’କକ୍‌ ପୂର୍ବରୁ ଦୁଇଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ଦୁଇଟି ଅନ୍ତର୍ଜାତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକାର ଅଧିନାୟକତ୍ୱ କରିଛନ୍ତି। କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗ୍ରେମ୍‌ ସ୍ମିଥ୍‌ ଡି’କକ୍‌ଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଉଇକେଟକିପର-ବ୍ୟାଟ୍ସମ୍ୟାନ କହିଛନ୍ତି। କେତେଜଣ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ବ୍ୟାଟ୍ସମ୍ୟାନ ଜେନମ୍ୟାନ ମଲାନ ଓ କାଇଲ ଭେରିନ୍‌, ଅଲରାଉଣ୍ଡର ଜନ୍‌-ଜନ୍‌ ସ୍ମଟ୍ସ, ଫାଷ୍ଟ ବୋଲର ଲୁଥୋ ସିପାମ୍‌ଲା ଓ ସିସାଣ୍ଡା ମଗାଲା ଏବଂ ବାମହାତୀ ସ୍ପିନର ବ୍ୟର୍ନ ଫର୍ଚୁନ। ଏମାନଙ୍କ ମଧ୍ୟରୁ ମଗାଲା ଓ ଭେରିନ୍‌ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି।

Share