ଡିକି ଭାଙ୍ଗି ୨୫ ହଜାର ଲୁଟ୍‌

ଫୁଲବାଣୀ ଅଫିସ, ୨୩ା୯- ଫୁଲବାଣୀ ସହରରେ ଲୁଟେରା ମାତିଛନ୍ତି। ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହେଉନାହିଁ। ସୋମବାର ଏକ ବାଇକ୍‌ର ଡିକି ଭାଙ୍ଗି ୨୫ ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କର ପାସବୁକ୍‌, ଏଟିଏମ କାର୍ଡ, ଚେକ ବୁକ୍‌ ସମେତ ପେନଡ୍ରାଭଇ ଲୁଟି ନେଇଛନ୍ତି। ଏ ନେଇ ଲୁଟ୍‌ର ଶୀକାର ହୋଇଥିବା କନ୍ଧମାଳ ଜି.ଏନ୍‌.ଏମ୍‌. କଲେଜର ଆଡ୍‌ମିନିଷ୍ଟ୍ରେଟିଭ ଅଧିକାରୀ ସନ୍ତୋଷ କୁମାର ମିଶ୍ର ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋଷ ପୂର୍ବାହ୍ନ ସାଢ଼େ ୧୧ଟାରେ ଫୁଲବାଣୀ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୨୫ ହଜାର ଟଙ୍କା ଉଠାଇ ଥିଲେ। ଟଙ୍କାକୁ ବ୍ୟାଙ୍କର ପାସବୁକ, ଏଟିଏମ, ଚେକବୁକ୍‌ ଥିବା ଏକ ଛୋଟ ବ୍ୟାଗରେ ପୁରାଇ ଡିକିରେ ରଖିଥିଲେ। ସେଠାରୁ ସେ ପେଟ୍ରୋଲ ପମ୍ପ ଅଭିମୂଖେ ଯାଇଥିଲେ। କିଛି ଦୂରରେ ବାଇକ ରଖି ପଲ୍ୟୁସନ ସାର୍ଟିଫିକେଟ ବିଷୟରେ ପଚାରିବାକୁ ଯାଇଥିଲେ। ଫେରି ଆସି ଦେଖିବାବେଳକୁ ବାଇକର ଡିକି ଖୋଲାଥିବାବେଳେ ଟଙ୍କା ବ୍ୟାଗ ନ ଥିଲା। ପୋଲିସ ଏବେ ଲୁଟେରାମାନଙ୍କୁ ଖୋଜା ଖୋଜି ଆରମ୍ଭ କରିଛି। ସୂଚନା ଯୋଗ୍ୟ ଯେ, ଗତ ୨ଦିନ ପୂର୍ବେ ଫୁଲବାଣୀ କୋର୍ଟ ଛକଠାରେ ଜଣେ ବ୍ୟବସାୟୀଙ୍କ ଗାଡିରୁ ଏକ ବ୍ୟାଗରେ ଥିବା ୮ କିଗ୍ରା ରୁପା ଗହଣା ଏବଂ ୫୦ ହଜାର ଟଙ୍କା ଦୁଇ ଦୁର୍ବୃତ୍ତ ଲୁଟି ନେଇ ଫେରାର ହୋଇଯାଇଥିଲେ।

Share