ଡିଜିଟାଇଜେଶନ ହେବ ‘କଳାଭୂମି’ କଳାକୃତି: ସିଡାକ୍‌ ଏବଂ ‘ସିଏ ଆଣ୍ଡ୍‌ ଏ’ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ପୂର୍ବ ଭାରତର ସର୍ବବୃହତ୍‌ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ‘କଳାଭୂମି’ ଏହାର ନିଆରା କନ୍‌ସେପ୍ଟ ପାଇଁ ଦେଶବିଦେଶରେ ଲୋକପ୍ରିୟତା ହାସଲ କରିଥିବାବେଳେ ଏହାର ବିକାଶ ଲାଗି ଆଉ ଏକ ପଦକ୍ଷେପ ନେବାକୁ ଯାଉଛି ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ। କଳାଭୂମିରେ ସଂରକ୍ଷିତ ହୋଇ ରହିଥିବା ଓଡ଼ିଶାର ବିରଳ ହସ୍ତଶିଳ୍ପ ଓ ହସ୍ତତନ୍ତର ତଥ୍ୟକୁ ଡିଜିଟାଇଜେଶନ କରାଯିବ। ଏଥିଲାଗି ଶୁକ୍ରବାର ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ(ସିଡାକ୍‌) ଏବଂ ଆମେରିକାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆନ୍‌ ଷ୍ଟଡିଜ୍‌ ଅଧୀନ ସେଣ୍ଟର ଫର ଆର୍ଟ ଆଣ୍ଡ ଆର୍କିଓଲୋଜି(ସିଏ ଆଣ୍ଡ୍‌ ଏ) ମଧ୍ୟରେ ଏକ ଚୁକ୍ତି(ଏମ୍‌.ଓ.ୟୁ) ସ୍ବାକ୍ଷରିତ ହୋଇଯାଇଛି। ଏହି ଏମ୍‌ଓୟୁ ମାଧ୍ୟମରେ କଳାଭୂମିରେ ଥିବା କଳାକୃତି ସମ୍ପର୍କିତ ଲିଖିତ ନଥିପତ୍ର ଏବଂ ସୂଚିପତ୍ରର ଡିଜିଟାଇଜେଶନ ଓ ଡକ୍ୟୁମେଣ୍ଟେଶନ୍‌ କରାଯିବ। କଳାଭୂମି ତତ୍ତ୍ବାବଧାନରେ ‘ସିଏ ଆଣ୍ଡ୍‌ ଏ’ର ଯାନ୍ତ୍ରିକ ବିଶେଷଜ୍ଞତା ଆଧାରରେ ଏହି ଡିଜିଟାଇଜେଶନ କାର୍ଯ୍ୟ ହେବ। ସଂଗ୍ରହାଳୟରେ ଥିବା ବିଭିନ୍ନ ସାମଗ୍ରୀର ଫଟୋ ଡକ୍ୟୁମେଣ୍ଟେଶନ ସହ ବିଭିନ୍ନ କଳାକୃତିର ମେଟା ଡାଟା ପ୍ରସ୍ତୁତ କରାଯିବ। ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ତରଫରୁ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ(ସିଡାକ୍‌)ର ସଦସ୍ୟ ସଚିବ ଶିତିକାନ୍ତ ଷଡଙ୍ଗୀ ଏହି ଚୁକ୍ତିପତ୍ର ସ୍ବାକ୍ଷର କରିଥିଲେ।

Share