Categories: ବାଣିଜ୍ୟ

ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ନେଟ୍‌ଓ୍ବର୍କ ଦୃଢ କରୁଛି ବିଓଆଇ:ସିଇଓ

ଭୁବନେଶ୍ୱର,୨୭-୬(ବ୍ୟୁରୋ): ଲୋକଙ୍କ ବ୍ୟାଙ୍କିଙ୍ଗ ଚାହିଦା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ଏହାକୁ ଧ୍ୟାନରେ ରଖି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ଡିଜିଟାଲ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ବ୍ୟାଙ୍କ ଷ୍ଟାର ପଏଣ୍ଟ ବିସି ନେଟଓ୍ବର୍କ ଭଳି ଡିଜିଟାଲ ପଦକ୍ଷେପ ଦ୍ୱାରା ସାରା ଦେଶରେ ଡୋରଷ୍ଟେପ ବ୍ୟାଙ୍ଗିଙ୍ଗକୁ ପ୍ରୋତ୍ସାହିତ କରୁଛି। ବ୍ୟାଙ୍କ ନିକଟରେ ୨୦୦୦ ଷ୍ଟାର ପଏଣ୍ଟ ବିସି ନେଟଓ୍ବର୍କ ରହିଛି। ଓଡିଶାରେ ଏହାର ସଂଖ୍ୟା ୩୦୦ ରହିଥିବା ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଦୀନବନ୍ଧୁ ମହାପାତ୍ର ବୁଧବାର ସୂଚନା ଦେଇଛନ୍ତି। ସେ ଓଡିଶା ଗସ୍ତରେ ଆସିଥିବା ବେଳେ ଫନୀ ପ୍ରଭାବିତ ଲୋକଙ୍କ ଲାଗି ୬.୬୧ କୋଟି ଟଙ୍କାର ଆର୍ଥତ୍କ ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପ୍ରଦାନ କରିଛନ୍ତି।
ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ବ୍ୟାଙ୍କ ୨୫୬ ଶାଖା ସହ ସେବା ଯୋଗାଉଛି। ଫନୀରେ ପ୍ରଭାବିତ ଗ୍ରାହକଙ୍କ ରଣ ପୁନର୍ଗଠନ ଦିଗରେ ବ୍ୟାଙ୍କ ପଦକ୍ଷେପ ନେଉଛି। ୨୦-୨୫% ଋଣ ଅଭିବୃଦ୍ଧି ଆଶାବାଦୀ ରହିଥିବା ମହାପାତ୍ର କହିଛନ୍ତି। ରାଜ୍ୟରେ ଏନ୍‌ପିଏ ଆକାଉଣ୍ଟଗୁଡିକର ଋଣ ସମାଧାନ ଲାଗି ନନ୍ଦିଘୋଷ ଯୋଜନା ହାତକୁ ନିଆଯାଇଛି। ଏହାର ଲାଭ ନେଇ ଲୋକମାନେ ସହଜ କିସ୍ତିରେ ଋଣ ସୁଝିବା ସହ ଋଣମୁକ୍ତ ହୋଇ ପାରିବେ। ୨୦୧୮-୧୯ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ବ୍ୟାଙ୍କ ୨୫୨ କୋଟି ଟଙ୍କା ଲାଭ କରିଛି। ସେହିଭଳି ରାଜ୍ୟରେ ମୋଟ କାରବାର ୧୨,୦୦୦ କୋଟି ଟଙ୍କା ରହିଛି। ୨୦୧୮-୧୯ରେ ଏହା ୧୬୦୦ କୋଟି ଟଙ୍କାର ଋଣ ପ୍ରଦାନ କରିଛି। ପିଏସ୍‌ବି-୫୯ ମିନିଟ ଋଣ ଯୋଗାଣରେ ବ୍ୟାଙ୍କର ପରଫରମାନ୍ସ ଉନ୍ନତ ରହିଥିବା ମହାପାତ୍ର କହିଛନ୍ତି। ଏହା ୨୩ ଦେଶରେ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ମୋଟ ୫୦୦୦ ଶାଖା ସହ ସେବା ଯୋଗାଉଥିବା ସେ ସୂଚନା ଦେଇଛନ୍ତି।

Share