Categories: ବାଣିଜ୍ୟ

ଡିଜେଲ ୧୭ ପଇସା , ପେଟ୍ରୋଲ ୧୫ ପଇସା ବଢିଲା

ନୂଆଦିଲ୍ଲୀ,୭-୧: ସୋମବାର ଘରୋଇ ବଜାରରେ ପେଟ୍ରୋଲ ଲିଟର ପିଛା ୧୫ ପଇସା ଏବଂ ଡିଜେଲ ୧୭ ପଇସା ଦର ବୃଦ୍ଧି ଘଟିଛି। ସେହିଭଳି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭୦ ଡଲାର ଛୁଇଁଛି। ମଧ୍ୟପ୍ରାଚ୍ୟରେ ଉପୁଜିଥିବା ଯୁଦ୍ଧ ସ୍ଥିତି ଯୋଗୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀରେ ପେଟ୍ରୋଲର ରିଟେଲ ପମ୍ପ ମୂଲ୍ୟ ବୃଦ୍ଧି ଘଟି ୭୫.୬୯ ଟଙ୍କା ସ୍ତର ଝଇଁଛି। ୨୦୧୮ ନଭେମ୍ବର ପରେ ଏହା ସର୍ବାଧିକ ସ୍ତର ବୋଲି କୁହାଯାଉଛି। ଏହାବାଦ ଡିଜେଲ ଦର ୬୮.୬୮ ଟଙ୍କାକୁ ବୃଦ୍ଧି ଘଟିଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦେଇଥିବା ସୂଚନାରୁ ଏହା ଜଣାପଡିଛି। ଲଗାତାର ଭାବେ ୫ ଦିନ ଧରି ଇନ୍ଧନ ଦର ବୃଦ୍ଧି ଘଟୁଛି। ବ୍ରେଣ୍ଟ ଫିଚର ଅଶୋଧିତ ତୈଳ ୩.୧% ବା ୨.୧୪ ଡଲାର ବଢିବା ଯୋଗୁ ବ୍ୟାରେଲ ପ୍ରତି ଏହାର ଦର ୭୦.୭୪ ଡଲାର ରହିଛି। ସେହିଭଳି ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍‌ ୧.୭% ବଢିବା ସହ ୬୪.୧୦ ସ୍ତର ଛୁଇଁଥିବା ନ୍ୟୁୟର୍କ ମର୍ଚ୍ଚାଣ୍ଟାଇଲ ଏକ୍ସଚେଞ୍ଜ ପକ୍ଷରୁ ସୂଚନା ରହିଛି।
ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତରକୁ ୪.୫% ସ୍ତରକୁ ଖସିଛି। ଏବେ ଦରଦାମ ବଢିଥିବା ବେଳେ ତେଲ ଦର ଲଗାତାର ଭାବେ ବଢୁଥିବାରୁ ଏହା ସରକାରଙ୍କ ଲାଗି ଚିନ୍ତା ବଢାଇବ ବୋଲି କୁହାଯାଉଛି। ତେଲର ଚଢାଦର ଲାଗି ରହିଲେ ଏଥି ଲାଗି ସରକାରଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ ବୋଲି କୁହାଯାଉଛି। ଜାନୁୟାରି ୨ ପରଠାରୁ ପେଟ୍ରୋଲ ଦର ୫୩ ପଇସା ଏବଂ ଡିଜେଲ ଦର ୭୨ ପଇସା ବଢିଛି। ଡିସେମ୍ବର ୨୬ ପରଠାରୁ ପେଟ୍ରୋଲ ଦର ବଢି ଚାଲିଥିବା ବେଳେ ଡିଜେଲ ନଭେମ୍ବର ୨୯ ପରଠାରୁ ବଢିଚାଲିଛି। ଏହି ସମୟ ମଧ୍ୟରେ ଡିଜେଲ ଦର ଲିଟର ପିଛା ୨.୯୫ ଟଙ୍କା ଏବଂ ପେଟ୍ରୋଲ ଦର ୧.୦୬ ଟଙ୍କା ବୃଦ୍ଧି ଘଟିଛି।
ସାଉଦି ତୈଳ କୂପ ଉପରେ ଡ୍ରୋନ ଆକ୍ରମଣ ହେବା ପରେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଗତ ସେପ୍ଟେମ୍ବର ମାସଠାରୁ ଉଚ୍ଚରେ ରହିଛି। ତେଲ ଦର ବୃଦ୍ଧି ଜନିତ ସମସ୍ୟା ଜାପାନ ଏବଂ ହଂକଂ ଭଳି ସ୍ଥାନଗୁଡିକରେ ମଧ୍ୟ ଦେଖାଯାଉଛି। ଭାରତ ଏହାର ୮୪% ତେଲ ଆବଶ୍ୟକତା ଆମଦାନୀ ଦ୍ୱାରା ପୂରଣ କରିଥାଏ। ଭାରତ ଏହାର ପ୍ରାୟ ଦୁଇ ତୃତୀୟାଂଶ ତେଲ ଆବଶ୍ୟକତା ମଧ୍ୟ ପ୍ରାଚ୍ୟ ଦେଶଗୁଡିକର ତେଲ ଦ୍ୱାରା ପୂରଣ କରୁଛି। ଏହା ମଧ୍ୟରେ ଇରାକ ଏବଂ ସୌଦି ଆରବ ପ୍ରମୁଖ ରାଷ୍ଟ୍ର ସାମିଲ ଅଛନ୍ତି। ଭାରତ ଉପରେ ତ୍ୱରିତ ଭିତ୍ତିରେ ଯୋଗାଣ କ୍ଷେତ୍ରରେ କୌଣସି ବାଧା ଉପୁଜିବ ନାହିଁ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। କେବଳ ମୂଲ୍ୟ ବଢିବା ନେଇ ସେ ସ୍ପଷ୍ଟ କରିଛନ୍ତି। ଇନ୍ଧନ ଦରକୁ ନିୟନ୍ତ୍ରଣରେ ରଖିବା ବର୍ତ୍ତମାନ ବଜାର ଲାଗି ଏକ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।

Share