ଡିଜେ ସାଉଣ୍ଡ ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ, ବରଗଡ଼ ଏସ୍‌ପିଙ୍କୁ ଗୁହାରି କଲେ ଅଭିଭାବକ

ବରଗଡ଼ ଅଫିସ, ୨୯।୧- ବରଗଡ଼ ସହର ୱାର୍ଡ ନଂ-୧ ଅଧୀନ ଭଟଲି ରୋଡ୍‌ ଛକ ପାର୍ଶ୍ୱରେ ରହିଥିବା ଏକ ବିବାହ ମଣ୍ଡପରେ ପ୍ରାୟ ପ୍ରତିଦିନ ରାତି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଡିଜେ ବାଜୁଥିବା ଯୋଗୁ ଅଞ୍ଚଳର ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। ଆଗକୁ ମାଟ୍ରିକ୍‌ ଓ ଅନ୍ୟ ପରୀକ୍ଷା ରହିଥିବାବେଳେ ଏଭଳି ଶବ୍ଦ ପ୍ରଦୂଷଣ ଯୋଗୁ ପରୀକ୍ଷାର୍ଥୀମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରୁଛି। ଏ ସମ୍ପର୍କରେ ବିବାହ ମଣ୍ଡପ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପୋଲିସର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ କିଛି ପଦକ୍ଷେପ ନିଆଯାଉନାହିଁ। ଫଳରେ ସେଥିରେ ହସ୍ତକ୍ଷେପ କରି ଭଟଲି ରୋଡ ଛକ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ତଥା ଡିଜେ ବାଜିବା ଉପରେ ଅଙ୍କୁଶ ଲଗାଇବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ଏ ନେଇ ବୁଧବାର ଉକ୍ତ ଅଞ୍ଚଳବାସୀ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରହଲ୍ଲାଦ ମହାପାତ୍ର, କେଦାର ମିଶ୍ର, ବେଣୁଧର ମହାପାତ୍ର, ସଞ୍ଜୀବ ମହାପାତ୍ର, ପୁନମ୍‌ ଅଗ୍ରୱାଲ, ବିନି ବାରିକ ପ୍ରମୁଖ ଉପସ୍ଥିତ ଥିଲେ।