ଡିଡିଓଙ୍କୁ ଅର୍ଥ ବିଭାଗର ଚେତାବନୀ: ବ୍ୟାଙ୍କରେ ଅଯଥା ସରକାରୀ ଅର୍ଥ ରଖିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧।୩(ବ୍ୟୁରୋ): ଆର୍ଥିକବର୍ଷ ଶେଷକୁ ଖର୍ଚ୍ଚ ନ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଅର୍ଥ ବିଭାଗ ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି ଯେ, କୌଣସି ଆର୍ଥିକ ଅନୁମୋଦନ, ଆଲଟମେଣ୍ଟ, ଅର୍ଥ ପଇଠ କରିବା, ଟ୍ରେଜେରିକୁ ବିଲ୍‌ ଦେବା କିମ୍ବା ଅର୍ଥ ବିଭାଗକୁ କୌଣସି ଆର୍ଥିକ ପ୍ରସ୍ତାବ ଆଦି ଦେବା ପାଇଁ ଆର୍ଥିକବର୍ଷ ଶେଷକୁ ନ ରଖି ଧାର୍ଯ୍ୟ ତାରିଖ ମଧ୍ୟରେ ଶେଷ କରିବାକୁ କୁହାଯାଇଛି।

ଏଥିସହିତ ଟ୍ରେଜେରିରେ ବିଲ୍‌ ପଇଠ କରିବା ନେଇ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ କଡା ତାଗିଦ କରାଯାଇଛି। ଟ୍ରେଜେରିରେ ବିଲ୍‌ ପଇଠ କରିବା ଶେଷ ତାରିଖ ବିଷୟରେ ୨୦୨୦ ଫେବୃୟାରୀ ୬ ତାରିଖରେ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ପ୍ରଶାସନିକ ସୁବିଧା ଏବଂ ବିଲ ପଇଠ ବ୍ୟବସ୍ଥାକୁ ସୁସଙ୍ଗତ କରିବା ପାଇଁ ଏହି ନିର୍ଦ୍ଦେଶନାମା ଦିଆଯାଇଛି। ଟ୍ରେଜେରିରେ ଧାର୍ଯ୍ୟ କରାଯାଇଥିବା ତାରିଖ ଅନୁଯାୟୀ ବିଲ୍‌ ପଇଠ ହେଉଛି କି ନାହିଁ ସେନେଇ ସମୀକ୍ଷା କରାଯିବ।

ଜରୁରୀ ନ ଥିଲେ ଡିଡିଓ ଟ୍ରେଜେରିରୁ ଅର୍ଥ ଉଠାଇ ପାରିବେ ନାହିଁ। ଏ ନେଇ ୨୦୧୪ ନଭେମ୍ବର ୧୧ ଏବଂ ୨୦୧୯ ଜୁଲାଇ ୧୦ ତାରିଖରେ ଅର୍ଥ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା। ସରକାରୀ ଅର୍ଥକୁ କୌଣସି ବ୍ୟାଙ୍କରେ ଅଯଥାରେ ଜମା କରାଯାଇ ପାରିବ ନାହିଁ। ଏହାକୁ ଅମାନ୍ୟ କଲେ ସମ୍ପୃକ୍ତ ଡିଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଆର୍ଥିକ ପରିଚାଳନା ଗାଇଡଲାଇନକୁ ଅନୁସରଣ କରିବାକୁ ଚିଠିରେ କୁହାଯାଇଛି।

Share