Categories: ଜାତୀୟ

ଡିପ୍ରେସନର ରୂପ ନେଲା ‘ନସର୍ଗ’

ନୂଆଦିଲ୍ଲୀ,୧।୬: କ୍ରମଶଃ ଉଗ୍ରରୂପ ଧାରଣ କରୁଛି ବାତ୍ୟା ‘ନସର୍ଗ’। ସୋମବାର ଏହା ଡିପ୍ରେସନର ରୂପ ନେଇଥିବା ବେଳେ ଆଗାମୀ ୧୨ ଘଣ୍ଟା ପରେ ଏହା ଡିପ୍‌ ଡିପ୍ରେସନର ରୂପ ନେବାର ଆଶଙ୍କା ରହିଛି। ବୁଧବାର ସନ୍ଧ୍ୟାରେ ଏହା ଭୟଙ୍କର ରୂପ ଧାରଣ କରିବା ସହ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି କୁହାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାକୁ ୧୧୫ରୁ ୧୨୫ କି.ମି. ବହିବାର ଆଶଙ୍କା ରହିଛି। ଜୁନ୍‌ ୪ ସନ୍ଧ୍ୟାରେ ଏହା ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଦକ୍ଷିଣ ପଶ୍ଚିମ ଆରବ ସାଗରରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳରେ ବାତ୍ୟା ‘ନସର୍ଗ’ ୩ରେ ମାଡ଼ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ହରିହରେଶ୍ୱର ଓ ଦାମନ ମଧ୍ୟରେ ଏହି ବାତ୍ୟା ଅତିକ୍ରମ କରିବ। ଫଳରେ ଏହି ଦୁଇ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି। ଏଥିଲାଗି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୯ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ସେଠାକୁ ପଠାଯାଇଥିବା ଜଣାପଡ଼ିଛି। ଏଥିସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସମୀକ୍ଷା ବୈଠକରେ ଅଧିକାରୀଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଥିବା ପ୍ରକାଶ।

Share