ଡିବିଟିରେ ୩୬,୬୫୯ କୋଟି

ନୂଆଦିଲ୍ଲୀ,୨୦।୪: ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଦ୍ୱାରା ଦେଶର ୧୬.୦୧ କୋଟି ଲୋକଙ୍କ ପାଖକୁ ସରକାର ୩୬,୬୫୯ କୋଟି ଟଙ୍କା ପଠାଇଛନ୍ତି। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ପିଏଫ୍‌ଏମ୍‌ଏସ୍‌)ରେ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୭ ମଧ୍ୟରେ ଏହି ଅର୍ଥ ଲୋକଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଜମା କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହି ଅର୍ଥ ମଧ୍ୟରୁ କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ୨୭,୪୪୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ସାମାଜିକ କଲ୍ୟାଣକାରୀ ଯୋଜନାରେ ୯,୭୧୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ପିଏମ୍‌-କିଷାନ, ଏମ୍‌ଏନ୍‌ଆର୍‌ଇଜିଏସ୍‌, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ପିଏମ୍‌ ମାତୃବନ୍ଧନ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଜାତୀୟ ସ୍ବାସ୍ଥ୍ୟ ମିଶନ ଭଳି ଯୋଜନାରେ ୧୧.୪୨ କୋଟି ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟଗୁଡିକର ୧୮୦ ଜନକଲ୍ୟାଣକାରୀ ଯୋଜନାରେ ୯,୭୧୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାବାଦ୍‌ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳାଙ୍କ ଜନଧନ ଆକାଉଣ୍ଟରେ ୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏହି ବାବଦରେ ୧୯.୮୬ କୋଟି ହିତାଧିକାରୀଙ୍କୁ ୯,୩୩୦ କୋଟି ଟଙ୍କାର ଅର୍ଥ ପ୍ରଦାନ କରାଯାଇଛି। ପିଏମ୍‌-କିଷାନର ୮.୪୩ କୋଟି ହିତାଧିକାରୀଙ୍କୁ ୫,୪୦୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

Share