Categories: ମେଟ୍ରୋ

ଡିବି ନିଆଁରୁ ଜଳିଗଲେ ସ୍ବାମୀ, ସ୍ତ୍ରୀ ଗୁରୁତର

ଫୁଲନଖରା,୧୫ା୧୧(ଡି.ଏନ୍‌.ଏ) : ଡିବିରିରୁ ନିଆଁ ଲାଗି ଗୁରୁବାର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ମୃତକ ହେଲେ କଟକ ସଦର ଥାନା ଅନ୍ତର୍ଗତ ହରିଅନ୍ତା ଗ୍ରାମର କାଳନ୍ଦୀ ପ୍ରଧାନ(୮୬)। ତାଙ୍କ ସ୍ତ୍ରୀ ଚମ୍ପାବତୀ ପ୍ରଧାନ(୮୦)ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, କାଳନ୍ଦୀ ଓ ତାଙ୍କ ସ୍ତ୍ରୀ ଏକ ଚାଳ ଘରେ ରହୁଥିଲେ। କାଳନ୍ଦୀ ରୋଗଶଯ୍ୟାରେ ପଡିଥିବା ବେଳେ ଘରେ ବିଦ୍ୟୁତ୍‌ ଲାଇନ ନ ଥିବାରୁ ଡିବିରି ଜଳୁଥିଲା। ଚମ୍ପାବତୀଙ୍କ ଆଖିକୁ ଭଲ ଦିଶୁ ନ ଥିବା ବେଳେ ଘର ଭିତରକୁ ଯିବା ସମୟରେ ତାଙ୍କ ଗୋଡ ବାଜି ଡିବିରିରୁ କିରୋସିନ ଢାଳି ହୋଇ କାଳନ୍ଦୀଙ୍କ ଶଯ୍ୟାରେ ନିଆଁ ଲାଗିଯାଇଥିଲା। ଫଳରେ ଶୋଇଥିବା କାଳନ୍ଦୀ ଓ ତାଙ୍କ ସ୍ତ୍ରୀ ନିଆଁରେ ପୋଡିହୋଇ ଗୁରୁତର ହୋଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାଳନ୍ଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ପଠାଇଥିଲେ। ଖବରପାଇ ଏଆରଆଇ ଚିନ୍ମୟ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Share