ଡିଭାଇଡର୍‌ ଉପରେ ଚଢ଼ିଗଲା ୧୨ ଚକିଆ ଯାନ

ଆନନ୍ଦପୁର,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ ଛକରେ ନିର୍ମାଣାଧୀନ ଅଧାପନ୍ତରିଆ ତଥା ଅଣଓସାରିଆ ରୋଡ୍‌ ପାସିଂରେ ଯାନବାହନ ଚଳାଚଳ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଯାନବାହନଗୁଡ଼ିକ ସୁବିଧାରେ ଯାତାୟାତ କରିପାରୁ ନ ଥିବାବେଳେ ବୁଧବାର ସକାଳେ ଏକ ୧୨ ଚକିଆ ଯାନ ଡିଭାଇଡର୍‌ ଉପରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ ଡିଭାଇଡର୍‌ ଏକ କୋଣ ଭାଙ୍ଗିଯାଇଥିଲା। ଦୀର୍ଘଦିନ ଧରି ଅସୁରକ୍ଷିତ ଭାବେ ପଡ଼ିରହିଥିବା ବ୍ରିଜ୍‌ ଛକ ରାସ୍ତା ନିକଟରେ ନବୀକରଣ କରାଯାଇଛି। ଠିକାଦାର ରାସ୍ତାକୁ ଅଧାପନ୍ତରିଆ କରି ଅନ୍ତର୍ଦ୍ଧାନ ହୋଇଯାଇଥିବାବେଳେ ନିର୍ମାଣ କରାଯାଇଥିବା ତ୍ରୁଟିପୁର୍ଣ୍ଣ ରୋଡ୍‌ପାସିଂ ଜନଅସନ୍ତୋଷର କାରଣ ପାଲଟିଛି। ଟ୍ରାଫିକ୍‌ରେ ଗାଡ଼ିଗୁଡିକ ବୁଲିବା ସମୟରେ ଅଣଓସାରିଆ ରାସ୍ତା ଯୋଗୁ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଘଟୁଛି। ଗୋଟିଏ ଯାନ ଅତିକ୍ରମ କରିବା ସମୟରେ ସେଥିରେ ଆଉ କୌଣସି ଯାନ ଏପରିକି ଏକ ବାଇକ ଅତିକ୍ରମ କରିବା କଷ୍ଟକର। ବ୍ରିଜଛକର ରାସ୍ତା ନବୀକରଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲକାରୀ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲେ ସୁଦ୍ଧା ଠିକାଦାର ଯେନତେନ ପ୍ରକାର ରାସ୍ତାକୁ ଅଧାପନ୍ତରିଆ କରି ଛାଡ଼ି ପଳାଇବା ଦୁର୍ଭାଗ୍ୟର ବିଷୟ। ଏଭଳି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।