Categories: ବାଣିଜ୍ୟ

ଡିଶ୍‌ ଟିଭି ସହ ମିଶିଯିବ ଏୟାରଟେଲ

ନୂଆଦିଲ୍ଲୀ,୭-୮:ଦେଶର ଦୁଇ ପ୍ରମୁଖ ଡିଟିଏଚ୍‌ କମ୍ପାନୀ ଚଳିତ ମାସ ଶେଷ ସୁଦ୍ଧା ମିଶିଯିବେ। ଏସେଲ ଗ୍ରୁପ୍‌ କମ୍ପାନୀ ଡିଶ୍‌ ଟିଭିକୁ ଖୁବଶୀଘ୍ର ଭାରତୀ ଏୟାରଟେଲ କିଣିବ। ମିଶ୍ରଣ ପରେ ଏୟାରଟେଲ ଡିଜିଟାଲ ଟିଭି ଦେଶର ସର୍ବବୃହତ ଡିଟିଏଚ୍‌ କମ୍ପାନୀ ହେବ। ଏହା ଟାଟା ସ୍କାଏ ଏବଂ ରିଲାଏନ୍ସ ଜିଓକୁ ଟକ୍କର ଦେବ। ଉଲ୍ଲେଖାଥାଉ କି, ରିଲାଏନ୍ସ ମଧ୍ୟ ଚଳିତ ମାସରେ ନିଜର ଗିଗାଫାଇବର ସେବାକୁ ବାଣିଜି୍ୟକ ଭିତ୍ତିରେ ଆରମ୍ଭ କରିବାକୁ ଯାଉଛି। ଡିଶ୍‌ ଟିଭିକୁ ନିଜ କମ୍ପାନୀ ସହ ମିଶାଇବା ନେଇ ଏୟାରଟେଲ ମାଲିକ ସୁନୀଲ ଭାରତୀ ମିତ୍ତଲ ଚଳିତ ମାସ ମାର୍ଚ୍ଚରେ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତ ମାସ ଶେଷରେ ଦୁଇ କମ୍ପାନୀ ଏକତ୍ର ଏ ସମ୍ପର୍କରେ ଘୋଷଣା କରିବେ। ଉଲ୍ଲେଖଥାଉ କି, ରିଲାଏନ୍ସ ଜିଓ ଦେଶର ଦୁଇ ସର୍ବବୃହତ କେବଲ ଟିଭି କମ୍ପାନୀ ଡେନ୍‌ କେବଲ ନେଟଓ୍ବର୍କ ଏବଂ ହ୍ୟାଥଓ୍ବେ କେବଲ ଆଣ୍ଡ ଡାଟାକମ୍‌ରେ ପ୍ରମୁଖ ଅଂଶଧନ କିଣିଛି। ମିତ୍ତଲ ଏବେ ଡିଟିଏଚ୍‌ କ୍ଷେତ୍ରରେ ଜିଓକୁ କଡ଼ା ଟକ୍କର ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଗତବର୍ଷ ମାର୍ଚ୍ଚରେ ଡିଶ୍‌ ଟିଭି ଭିଡିଓକନ ଡିଟିଏଚ୍‌କୁ ନିଜ ସହ ମିଶାଇଥିଲା। ସେହିପରି ଏୟାରଟେଲ ଗତବର୍ଷ ନିଜ କମ୍ପାନୀକୁ ଟାଟା ସ୍କାଏକୁ ବିକ୍ରି କରିବା ଲାଗି ଚେଷ୍ଟା ଚଳାଇଥିଲା। ତେବେ ଆଲୋଚନା ସଫଳ ହୋଇ ନ ଥିଲା।

Share