Categories: ବାଣିଜ୍ୟ

ଡିସେମ୍ବରରୁ ୨୪ଘଣ୍ଟା ମିିିଳିବ ଏନ୍‌ଇଏଫ୍‌ଟି ସୁବିଧା

ନୂଆଦିଲ୍ଲୀ,୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଜନସାଧାରଣଙ୍କ ପାଇଁ ଏକ ବଡ଼ ସୁବିଧା ଘୋଷଣା କରିଛି। ମୁଦ୍ରାନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଡିସେମ୍ବରରୁ ନ୍ୟାଶନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ୨୪ ଘଣ୍ଟା ବ୍ୟବହାର କରାଯାଇ ଫଣ୍ଡ ଟ୍ରାନ୍ସଫର କରାଯାଇପାରିବ। ବର୍ତ୍ତମାନ ଏହି ସେବା ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ଛାଡ଼ି ଦେଲେ ପ୍ରତ୍ୟେକ କାର୍ଯ୍ୟଦିବସରେ ସକାଳ ୮ରୁ ରାତି ୭ ଯାଏ ଉପଲବ୍ଧ ହେଉଛି। ଆର୍‌୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଡିସେମ୍ବରରୁ ୨୪x୭ ଏନ୍‌ଇଏଫ୍‌ଟି ଉପଲବ୍ଧ ହେବ। ଏହା ଜରିଆରେ ରିଟେଲ ପେମେଣ୍ଟ ସିଷ୍ଟମରେ କ୍ରାନ୍ତି ଆସିବ। ଏନ୍‌ଇଏଫ୍‌ଟି ଜରିଆରେ ଜଣେ ବ୍ୟାଙ୍କ ଗ୍ରାହକ ଦେଶର ଯେକୌଣସି ସ୍ଥାନରୁ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ପଠାଇପାରୁଛି। ଗତଥର ଆର୍‌ବିଆଇ ଆର୍‌ଟିଜିଏସ୍‌(ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟ) ଏବଂ ଏନ୍‌ଇଏଫ୍‌ଟି ଜରିଆରେ ଟଙ୍କା ପଠାଇବାକୁ ଶୁଳ୍କମୁକ୍ତ ଘୋଷଣା କରିଥିଲା। ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଏହା ପ୍ରିପେଡ୍‌ ରିଚାର୍ଜକୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାର ବିଲ୍‌ ପ୍ରଦାନକୁ ଭାରତ ବିଲ୍‌ ପେମେଣ୍ଟ ସିଷ୍ଟମ(ବିବିପିଏସ୍‌) ଅଧୀନକୁ ଅଣାଯିବ। ବର୍ତ୍ତମାନ ବିବିପିଏସ୍‌ ମାଧ୍ୟମରେ ଡିଟିଏଚ୍‌, ବିଦ୍ୟୁତ, ଗ୍ୟାସ୍‌, ଟେଲିକମ ଓ ପାଣି ବିଲ୍‌ ପ୍ରଦାନ କରାଯାଇପାରୁଛି। ସେପ୍ଟେମ୍ବର ଶେଷ ସୁଦ୍ଧା ଆର୍‌ବିଆଇ ଏସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବ ବୋଲି ଆଶାକରାଯାଉଛି।

Share