Categories: ଜାତୀୟ

ଡିସେମ୍ବରରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରନ୍ତି ଫଡ୍‌ନବିସ

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ରାଜନୀତିର ଗଣିତ ଏପର୍ଯ୍ୟନ୍ତ ଛିଣ୍ଡି ପାରୁନାହିଁ। ଶିବସେନା, ଏନ୍‌ସିପି ଓ କଂଗ୍ରେସ ପକ୍ଷରୁ ଫଡ୍‌ନବିସ ସରକାରଙ୍କ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଛି। ହେଲେ ଏବେ ଫଡ୍‌ନବିସଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣକୁ ନେଇ ଏବେ ପ୍ରଶ୍ନ ଉଠିଛି। ପୂର୍ବରୁ ଶୁଣିବାକୁ ମିଳିଥିଲା କି ଫଡ୍‌ନବିସ ନଭେମ୍ବର ୩୦ ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ହେଲେ ଏବେ କୁହାଯାଉଛି କି ସେ ଡିସେମ୍ବର ୭ରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରନ୍ତି। ଫଡ୍‌ନବିସଙ୍କ ଓକିଲ ମୁକୁଲ ରୋହତଗି କହିଛନ୍ତି ରାଜ୍ୟପାଳ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଫଡ୍‌ନବିସଙ୍କୁ ୧୪ ଦିନ ସମୟ ଦେଇଥିଲେ। ତେଣୁ ସେହି ହିସାବରେ ୨୩ ନଭେମ୍ବରରେ ଫଡ୍‌ନବିସ ଶପଥ ନେଇଥିବାରୁ ଆସନ୍ତା ଡିସେମ୍ବର ୭ରେ ସେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା କଥା। ଅନ୍ୟପଟେ ଏହାକୁ ବିରୋଧ କରି କଂଗ୍ରେସ, ଏନ୍‌ସିପି ଓ ଶିବସେନା ଓକିଲ କହିଛନ୍ତି ଏମିତି ମାମଲାରେ ସୁପ୍ରିମକୋର୍ଟ ପୂର୍ବରୁ ୨୪ ଘଣ୍ଟା ଅଥବା ୪୮ ଘଣ୍ଟା ମଧ୍ୟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି। ତେଣୁ ଏଥିରେ କେମିତି ବ୍ୟତିକ୍ରମ ହେବ ବୋଲି ସେମାନେ ପ୍ରଶ୍ନ କରିଥିବା କୁହାଯାଏ।

Share