ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଯାନବାହନ ଯାଞ୍ଚ: ବିଧାନସଭାରେ କୋହଳ ଅବଧିକୁ ଆଉ ତିନି ମାସ ବଢ଼ାଇବାକୁ ଦାବି

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସମଗ୍ର ଦେଶରେ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ ହୋଇଛି। ସେପ୍ଟେମ୍ବର ପହିଲାରୁ ଏହି ଆଇନ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରାଯାଇନାହିଁ। ଡ୍ରାଇଭିଂ ଲାଇସେନ୍ସ , ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ଏବଂ ଅନ୍ୟାନ୍ୟ କାଗଜପତ୍ର ନ ଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ବଡ଼ ଧରଣର ଜରିମାନାକୁ ବିରୋଧ କରି ପ୍ରବଳ ଜନଅସନ୍ତୋଷ ଦେଖା ଦେବାରୁ ମୁଖ୍ୟମନ୍ତ୍ରୀ ସମସ୍ତ କାଗଜପତ୍ର ଯୋଗାଡ଼ କରିବା ପାଇଁ ତିନିମାସ ସମୟ ଦେଇଥିଲେ। ଆସନ୍ତା ଡିସେମ୍ବର ପହିଲାରୁ ଏହି ଅବଧି ଶେଷ ହେଉଛି। ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଆଉ କୌଣସି ପ୍ରକାର କୋହଳ କରାଯିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅବଧି ପୂରିବାକୁ ଆଉ ମାତ୍ର ଦୁଇଦିନ ବାକିଥିବା ବେଳେ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟରେ ଲୋକମାନଙ୍କ ଲମ୍ବା ଲାଇନ ଲାଗିଛି। ଏହାକୁ ନେଇ ଗୁରୁବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ନେତା ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାର ଏହି ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି।

Share