କମେଡି କିଙ୍ଗ୍ କପିଲ ଶର୍ମା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି। କିଛିମାସ ତଳେ ସ୍ତ୍ରୀ ଗିନି ଚତ୍ରଥଙ୍କ ସହିତ ସମୟ କାଟିବା ପାଇଁ ‘ଦ କପିଲ ଶର୍ମା ଶୋ’ରୁ ୧୦ ଦିନ ଛୁଟି ନେଇ କାନାଡା ଯାଇଥିଲେ। ଶୁଣିବାକୁ ମିଳୁଛି ଆସନ୍ତା ମାସରେ କପିଲ୍ ପୁଣି ଛୁଟିରେ ଯିବେ। କପିଲ୍ଙ୍କର ଜଣେ ଖାସ୍ ବନ୍ଧୁ କହିଛନ୍ତି, ଗିନିଙ୍କ ଡେଲିଭରି ସମୟରେ କପିଲ୍ ତାଙ୍କ ପାଖରେ ରହିବା ପାଇଁ ଚାହୁଁଛନ୍ତି। ତେଣୁ ସେ ଚ୍ୟାନେଲ୍ଠାରୁ ୧୧ ଡିସେମ୍ବରରୁ ଛୁଟି ନେବା ପାଇଁ ଅନୁମତି ମାଗି ସାରିଛନ୍ତି। ଏହି ସମୟରେ ସେ କୌଣସି କାମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ବୃତ୍ତିଗତଠାରୁ ବ୍ୟକ୍ତିଗତ ଜୀବନକୁ କପିଲ୍ ଅଧିକ ଧ୍ୟାନ ଦେଉଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଡିସେମ୍ବରରେ ବାପା ହେବାକୁ ଯାଉଛନ୍ତି। ସ୍ମରଣଯୋଗ୍ୟ, ୨୦୧୮ ଡିସେମ୍ବର ୧୨ରେ କପିଲ୍ ଗିନିଙ୍କୁ ବିବାହ କରିଥିଲେ। କପିଲ୍ ଜାନୁୟାରୀରେ ଶୋ’କୁ ଫେରିବେ ବୋଲି ଜଣାପଡ଼ିଛି।