Categories: ଜାତୀୟ

ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ଏନ୍‌କାଉଣ୍ଟରେ ମୃତ ଅଭିଯୁକ୍ତଙ୍କ ଶରୀର

ହାଇଦ୍ରାବାଦ,୧୦।୧୨: ତେଲେଙ୍ଗାନା ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ମୃତ ଶରୀର ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ବୋଲି ସୂଚନା ମିଳିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉକ୍ତ ମୃତ ଶରୀରକୁ ମେହବୁବୁ ନଗର ସରକାରୀ ମେଡିକାଲ କଲେଜରୁ ସୋମବାର ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲକୁ ନିଆଯାଇଛି। ପୂର୍ବରୁ ଏହା ୯ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରହିବାକୁ ନିର୍ଦ୍ଦେଶ ଥିବା ବେଳେ ଏବେ ପୁଣିଥରେ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ଗତ ନଭେମ୍ବର ଶେଷ ସପ୍ତାହରେ ତେଲେଙ୍ଗାନାର ଜଣେ ମହିଳା ଡାକ୍ତରଙ୍କୁ ୪ ଜଣ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ମହିଳାଙ୍କ ଶରୀରକୁ ଜାଳି ଦେଇଥିଲେ। ଏହି ମାମଲାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡିସେମ୍ବର ୬ରେ ସେମାନଙ୍କୁ ଘଟଣା ସ୍ଥଳକୁ ନେଇ ସିନ୍‌ ରିକ୍ରିଏଟ୍‌ କରିବା ସମୟରେ ଅଭିଯୁକ୍ତମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ଏନ୍‌କାଉଣ୍ଟର କରିବାରୁ ଘଟଣାସ୍ଥଳରେ ୪ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା।

Share