ଡିସେମ୍ବର ୧୪ରୁ ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ କୋଣାର୍କ ସହରଠାରୁ ୭ କିଲୋମିଟର ଦୂରରେ ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା ମଧ୍ୟରେ ହେବାକୁ ଥିବା ଏହି ଫେଷ୍ଟିଭାଲ ଆସନ୍ତା ଡିସେମ୍ବର ୧୪ରୁ ଜାନୁୟାରୀ ୧୪ ମଧ୍ୟରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏପରିକି ଏହି ଉତ୍ସବକୁ ସଫଳ କରିବା ପାଇଁ ସଂପୃକ୍ତ ବିଭାଗ ତାଙ୍କ ଶ୍ରେଷ୍ଠ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆୟୋଜନ ପୁରୀ-କୋଣାର୍କ ସହର ବିକାଶ, ଶାମୁକା ପ୍ରକଳ୍ପ ଉନ୍ନୟନ ସହ ପର୍ଯ୍ୟଟନ ଦକ୍ଷତାର ବୃଦ୍ଧି କରିବ ବୋଲି ଆଶା କରାଯାଉଛି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ମାସେ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ ବିଚିତ୍ରା, ଥ୍ରୀଡି ମ୍ୟାପିଂ, ଫୁଡ୍‌ ଫେଷ୍ଟିଭାଲ, ରୋମାଞ୍ଚକର କ୍ରୀଡା, ଜଳକ୍ରୀଡା ଭଳି ଆନ୍ତର୍ଜାତିକ ମାନର ବ୍ୟବସ୍ଥା ପର୍ଯ୍ୟଟକଙ୍କ ପାଇଁ କରାଯିବ। କେବଳ ପର୍ଯ୍ୟଟକମାନଙ୍କ ରହିବା ପାଇଁ ୫୦ଟି କୋଠରୀ ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ କଟେଜ ନିର୍ମାଣ କରାଯିବ। ଏହି କଠୋରୀ ନିରନ୍ତରଭାବେ ଜଳ ଓ ବିଦ୍ୟୁତ ପାର୍କିଂର ବ୍ୟବସ୍ଥା କରାଯିବ। ଏହି ଆୟୋଜନକୁ ଦୃଷ୍ଟିରେ ରଖି ମେରାଉନ୍‌ ଡ୍ରାଇଭ ସଡକର ଆଲୋକୀକରଣ ସହ ସ୍ଥାନୀୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ , ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Share