ଡିସେମ୍ବର ୨୩ରୁ ସିଟି ଫେଷ୍ଟିଭାଲ

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ପୁଣି ଆରମ୍ଭ ହେବ ସିଟି ଫେଷ୍ଟିଭାଲ। ଆସନ୍ତା ଡିସେମ୍ବର ୨୩ରୁ ଜାନୁୟାରୀ ୧ ଯାଏ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶୀତୁଆ ସନ୍ଧ୍ୟାରେ ରାଜଧାନୀବାସୀଙ୍କୁ ଝୁମାଇବେ ଖ୍ୟାତନାମା ଷ୍ଟାର୍‌ କଳାକାର। ପୂର୍ବବର୍ଷ ଭୁବନେଶ୍ୱର ସିଟି ଫେଷ୍ଟିଭାଲ (ଡଟ୍‌ ଫେଷ୍ଟ)ର ସଫଳ ଆୟୋଜନ ପରେ ପୁଣି ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସଂସ୍କୃତି ବିଭାଗ ଓ ବିଡିଏ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ଆୟୋଜନ ପାଇଁ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାଗୁଡ଼ିକୁ ଆବେଦନ ଲାଗି ବିଡିଏ ଟେଣ୍ଡର ଆହ୍ବାନ କରିଛି। ନଭେମ୍ବର ୫ରେ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାଗୁଡ଼ିକ ସହ ଏନେଇ ଆଲୋଚନା କରାଯିବ। ଏହାକୁ ଆହୁରି ଅଧିକ ବ୍ୟାପକ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ସୂଚନାନୁସାରେ, ଏହି ସମୟରେ ଅନ୍ତର୍ଜାତୀୟ ଷ୍ଟ୍ରିଟ୍‌ଫୁଡ୍‌ ଫେଷ୍ଟିଭାଲ ମଧ୍ୟ ଆୟୋଜନ କରାଯିବ। ପୂର୍ବପରି ପ୍ରଦର୍ଶନୀ ପଡ଼ିଆର ଗୋଟିଏ ପଟେ ବିଭିନ୍ନ ଦେଶର ଖାଦ୍ୟ ପସରା ଓ ଅନ୍ୟପଟେ ନାମୀଦାମୀ କଳାକାରଙ୍କ ଭିଡ଼ ଜମିବ। ସେହିପରି ‘ଭୂଫେଷ୍ଟା’ କାର୍ଯ୍ୟକ୍ରମରେ ଦିନରେ ୪ ପାର୍କରେ ଷ୍ଟୋରି ଟେଲିଂ କାର୍ଯ୍ୟକ୍ରମ କରାଯିବ। ଏଥିରେ ଜାତୀୟ ତଥା ରାଜ୍ୟର ଖ୍ୟାତନାମା କାହାଣୀକାରମାନେ ଯୋଗଦେବେ। ଏହା ଡିସେମ୍ବର ୨୬ରୁ ୩୧ ଯାଏ ଚାଲିବ।

Share