ଡିସେମ୍ବର ୭ରୁ ଡଗ୍‌ ଶୋ’: ପ୍ରଥରଥର ପାଇଁ ହେବ ବିଗଲ ସ୍ପେଶିଆଲିଟି

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ଓଡ଼ିଶା କେନେଲ କ୍ଲବ ପକ୍ଷରୁ ପ୍ରତିବର୍ଷ ହେଉଥିବା ଡଗ୍‌ ଶୋ’ ଆସନ୍ତା ଡିସେମ୍ବର ୭ରୁ ଆରମ୍ଭ ହେବ। ୟୁନିଟ୍‌-୬ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଏହା ଦୁଇଦିନ ଧରି ଚାଲିବ। ଶୋ’ ପାଇଁ କ୍ଲବ୍‌ ପକ୍ଷରୁ ପ୍ରସ୍ତୁତି ପ୍ରାୟତଃ ଚୂଡ଼ାନ୍ତ ହୋଇଥିବାବେଳେ କେଉଁ ଦିନ କେଉଁ ପ୍ରତିଯୋଗିତା ହେବ ଏବଂ କେଉଁମାନେ ବିଚାରକ ରହିବେ ତାହା ସ୍ଥିର ହୋଇସାରିଲାଣି। ୭ତାରିଖରେ ଓବିଡିଏନ୍ସ ଟ୍ରାଏଲ୍ସ ରହିଛି। ଏଥି ସହିତ ଜର୍ମାନ ସେଫର୍ଡ ଡଗ୍‌ ସ୍ପେଶିଆଲିଟି, ଲାବ୍ରାଡର ସ୍ପେଶିଆଲିଟି, ବିଗଲ ସ୍ପେଶିଆଲିଟି ଆକର୍ଷଣ ସାଜିବ। ପ୍ରଥମଥର ପାଇଁ ଚଳିତବର୍ଷ ବିଗଲ ପ୍ରଜାତିର କୁକୁରଙ୍କ ପାଇଁ ସ୍ବତନ୍ତ୍ର ପ୍ରତିଯୋଗିତା ହେବ। ବିଗଲ ଓ ଲାବ୍ରାଡର ସ୍ପେଶିଆଲିଟି ପାଇଁ ବିଚାରକ ଭାବେ ସି.ଭି. ସୁଦର୍ଶନ ଥିବାବେଳେ ଜର୍ମାନ ସେଫର୍ଡ ଡଗ୍‌ ସ୍ପେଶିଆଲିଟି ପାଇଁ ଜର୍ମାନୀରୁ ହରାଲ୍‌ଡ ହୋମନ୍ନ ଓ ଓବିଡିଏନ୍ସ ଟ୍ରାଏଲ୍ସ ପାଇଁ ରାଜେନ୍ଦ୍ର ଏମ୍‌. ସାଲ୍‌ଭି ବିଚାରକ ରହିଛନ୍ତି।
ଚଳିତବର୍ଷ କ୍ଲବ୍‌ ତା’ର ୫୯ତମ ଓ ୬୦ତମ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନ୍‌ଶିପ୍‌ ଶୋ’ ଆୟୋଜନ କରିବ। ଏଥିରେ ବିଭିନ୍ନ ପ୍ରଜାତିର କୁକୁର ଭାଗ ନେବେ। ଏଥିରେ ଭାଗ ନେବା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଗଲାଣି। ଅଲ୍‌ ବ୍ରିଡ୍‌ସ ଶୋ’ ପାଇଁ ସ୍ବିଡେନ୍‌ରୁ ଇଭା ଲିଲ୍‌ଜେକ୍‌ଭିସ୍ତ ବର୍ଗ ଓ ଲାଟିଭାରୁ ରୀତା କଡିକେ ସ୍କାଡିନା ବିଚାରକ ଭାବେ ରହିବେ। ତେବେ ଚଳିତ ବର୍ଷ ୩୫୦ କୁକୁର ଭାଗ ନେବେ ବୋଲି କ୍ଲବ୍‌ ଆଶା ରଖିଛି।

Share