Woman receiving package from a delivery man
ନୂଆଦିଲ୍ଲୀ,୧୭-୫: ଗତ ତିନି ମାସ ହେବ ୨ ବଡ଼ ଇ-କମର୍ସ କମ୍ପାନୀରେ ବିକ୍ରି ଅନେକ ହ୍ରାସ ପାଇଛି। କାରଣ ସେମାନେ ଦେଉଥିବା ଭାରି ଡିସ୍କାଉଣ୍ଟ ଉପରେ ଏବେ କଟକଣା ଲାଗୁ କରାଯାଇଛି। ଏହି କାରଣରୁ ସ୍ଥାନୀୟ ବଜାରରେ ଏବେ ଭିଡ଼ ଜମିବା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଇ-କମର୍ସ କମ୍ପାନୀଙ୍କ ଉପରେ ଲଗାମ ଲଗାଇବାକୁ ଯାଇ ଚଳିତ ବର୍ଷ ଫେବୃୟାରୀରେ ନୂଆ ଏଫ୍ଡିଆଇ ନୀତି ଲାଗୁ କରିଛନ୍ତି। ଫଳରେ ଇ-କମର୍ସ କମ୍ପାନୀମାନେ ଆଉ ଭାରି ଡିସ୍କାଉଣ୍ଟ ଦେଇପାରୁନାହାନ୍ତି। ଏଥିଯୋଗୁ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି ଫ୍ଲିପକାର୍ଟ ଓ ଆମାଜନ। ସେମାନେ ନିଜ ପ୍ଲାଟଫର୍ମରେ ସର୍ବାଧିକ ଛାଡ଼ ଘୋଷଣା କରୁଥିଲେ। ଫଳରେ ସେମାନଙ୍କ ବେପାର ବେଶ୍ ଜମୁଥିଲା। ସରକାରଙ୍କ ଉକ୍ତ ନିଷ୍ପତ୍ତି କାରଣରୁ ଇ-କମର୍ସ କମ୍ପାନୀମାନଙ୍କ କାରବାର ହ୍ରାସ ପାଇଥିବା ବେଳେ ଗତ ୩ ମାସ ହେବ କ୍ଷୁଦ୍ର ବେପାରୀ ଏବେ ବେଶ ଦିପଇସା ଆୟ କରିପାରୁଛନ୍ତି। ଏବେ ଉକ୍ତ ଦୁଇ ଇ-କମର୍ସ କମ୍ପାନୀ ନୂଆ ସରକାର ଆସିବା ଅପେକ୍ଷାରେ ରହିଛନ୍ତି। କାରଣ ନୂଆ ସରକାର ଆସିବା ପରେ ଇ-କମର୍ସ ନୀତିକୁ କୋହଳ କରାଯିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଏନ୍ଡିଏ ସରକାର ଖୁଚୁରା ବ୍ୟବସାୟୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିଲେ। କାରଣ ସରକାରୀ ଦଳ ପାଇଁ ସେମାନେ ବଡ଼ ଭୋଟ୍ ବ୍ୟାଙ୍କ କୁହାଯାଉଛି। ସୂଚନାଯୋଗ୍ୟ, ଇ-କମର୍ସ କମ୍ପାନୀଗୁଡ଼ିକ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ମୋବାଇଲ ଫୋନ, ଫ୍ୟାଶନ ଏବଂ ଲାଇଫଷ୍ଟାଇଲ ଭଳି ସେଗମେଣ୍ଟରେ ଲୋକଙ୍କୁ ଭାରିମାତ୍ରାରେ ଛାଡ଼ ଘୋଷଣା କରୁଥିଲେ। ଏହି କାରଣରୁ ଲୋକେ ଅନ୍ଲାଇନରେ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରୁଥିଲେ। ଛାଡ଼ ମାତ୍ରା ଏତେ ଅଧିକ ରହୁଥିଲା ଯେ, ଖୁଚୁରା ବ୍ୟବସାୟୀ ତାହା ଦେଇପାରୁ ନ ଥିଲେ।