Categories: ଜାତୀୟ

ଡି କମ୍ପାନୀ ବିଛାଇଛି ଜାଲ୍‌ନୋଟ ଜାଲ

ନୂଆଦିଲ୍ଲୀ,୨ା୬(ଆଇଏଏନ୍‌ଏସ୍‌): କିଛିଦିନର ବ୍ୟବଧାନ ପରେ ଭାରତକୁ ପୁଣି ଆସିବାରେ ଲାଗିଛି ଉଚ୍ଚ ମୂଲ୍ୟର ଭାରତୀୟ ଜାଲ ନୋଟ (ଏଫ୍‌ଆଇସିଏନ୍‌) ଆସିବାରେ ଲାଗିଛି। ଦେଶର ପୂର୍ବାଞ୍ଚଳ ସୀମାରେ ଏହା ଛପାଯାଉଛି। ପାକିସ୍ତାନରେ ଆମତ୍ଗୋପନ କରିଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଡି କମ୍ପାନୀ ଚଳାଇଥିବା ଏହି ର଼୍ୟାକେଟକୁ ସେଠାକାର କୁଖ୍ୟାତ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ସହଯୋଗ କରୁଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ଏହି ଚାଞ୍ଚଲ୍ୟକାର ତଥ୍ୟ ପ୍ରଘଟ କରାଯାଇଛି।
ଏନ୍‌ଆଇଏ ତଦନ୍ତରୁ ଜଣାପଡ଼ିଛି ଯେ, ପାକିସ୍ତାନର ଆଇଏସ୍‌ଆଇ ଏବଂ ଡି କମ୍ପାନୀ ପୁଣିଥରେ ଭାରତୀୟ ଅର୍ଥନୀତିକୁ ଦୋହଲାଇଦେବା ଭଳି ଷଡ଼ଯନ୍ତ୍ର ରଚିଛନ୍ତି। ଡି କମ୍ପାନୀର ଏଫ୍‌ଆଇସିଏନ୍‌ ନେଟଓ୍ବର୍କ ବଡ଼ ବଡ଼ ନୋଟ ଛାପି ଭାରତକୁ ପଠାଉଛି। ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକର ଗୁପ୍ତ ସୂଚନାନୁସାରେ ନେପାଳରେ ଏହାର କିଙ୍ଗ୍‌ପିନ୍‌ ୟୁନୁସ୍‌ ଅନ୍‌ସାରୀ ଗିରଫ ହେବାପରେ ଏହି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଛି। ଅନ୍‌ସାରୀ ହେଉଛନ୍ତି ଆଇଏସ୍‌ଆଇ ଏବଂ ଦାଉଦ୍‌ଙ୍କ ମଧ୍ୟରେ ଏହି ବେଆଇନ କାରବାର ପାଇଁ ସମ୍ପର୍କର ସୂତ୍ରଧର। ତାଙ୍କ ସହ ଅନ୍ୟ ୩ ପାକିସ୍ତାନୀ ମହମ୍ମଦ ଅଖ୍‌ତାର, ନାଦିଆ ଅନ୍‌ଓ୍ବର ଓ ନାସିରୁଦ୍ଦିନ୍‌ ମଧ୍ୟ ଗିରଫ ହୋଇଛନ୍ତି। ଏହି ର଼୍ୟାକେଟଠାରୁ ୭ କୋଟି ଟଙ୍କାର ଜାଲ୍‌ ନୋଟ ଜବତ ହୋଇଛି। ବାଂଲାଦେଶ ସୀମା ଦେଇ ଏଭଳି ନୋଟ୍‌ ଭାରତକୁ ପଠାଯାଉଛି। ଗତ ଜାନୁୟାରୀରେ ଜଣେ ବ୍ୟକ୍ତି ପଡ଼ୋଶୀ ଦେଶରୁ ପଶ୍ଚିମବଙ୍ଗ ଦେଇ ଭାରତକୁ ୧୦ ଲକ୍ଷ ଟଙ୍କା ଆଣୁଥିବାବେଳେ ଧରାପଡ଼ିଥିଲେ। ସେଗୁଡ଼ିକୁ ବାଂଲାଦେଶରେ ପ୍ରିଣ୍ଟ କରି ଆଣିବା ପରେ ନୂଆଦିଲ୍ଲୀର ବ୍ୟସ୍ତବହୁଳ ବଜାରଗୁଡ଼ିକରେ ପ୍ରସାର କରାଯାଉଥିବା ନେଇ ଅଭିଯୁକ୍ତ ଜଣକ ଜେରା ବେଳେ ସ୍ବୀକାର କରିଥିଲେ। ସେହିପରି ଅନ୍ୟ ୩ ଅଭିଯୁକ୍ତ ଗୁଜରାଟରେ ଧରାପଡ଼ିଥିଲେ। ଏନ୍‌ଆଇଏ ଗୁଜରାଟର ଏକ କୋର୍ଟରେ ଏନେଇ ଗତମାସରେ ଚାର୍ଜଶିଟ୍‌ ଦାଖଲ କରିଛି।

Share