Categories: ଖେଳ

ଡୁ’ପ୍ଲେସି ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ

ଜୋହାନ୍ସ ବର୍ଗ, ୭ା୮(ଏଏଫ୍‌ପି)-ଅକ୍ଟୋବରରେ ଖେଳାଯିବାକୁଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଫାଫ୍‌ ଡୁ’ପ୍ଲେସି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ (କ୍ରିକେଟ) କୋରି ଭାନ୍‌ ଜାଇଲ ମଙ୍ଗଳବାର ପ୍ରକାଶ କରିଛନ୍ତି। ଡୁ’ପ୍ଲେସିଙ୍କୁ କିନ୍ତୁ ସମସ୍ତ ଫର୍ମାଟ ପାଇଁ ଅଧିନାୟକ କରା ନ ଯାଇପାରେ। ଭାନ୍‌ ଜାଇଲ କହିଛନ୍ତି, ସେ ଆସନ୍ତା ସିଲେକ୍ସନ ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ୨୦୨୩ ବିଶ୍ୱକପ୍‌ ପାଇଁ ଯୋଜନା ସମେତ ଭବିଷ୍ୟତ ରଣକୌଶଳ ସମ୍ପର୍କରେ ଆଲୋଚନା ହେବ। ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା ଆସନ୍ତା ମାସରେ ଭାରତରେ ୩ ଅନ୍ତର୍ଜାତୀୟ ଟି୨୦ ଖେଳିବ। ନୂଆ ବିଶ୍ୱ ଟେଷ୍ଟ ଚାମ୍ପୟନଶିପ୍‌ ପରିପ୍ରେକ୍ଷୀରେ ଦକ୍ଷିଣ ଆଫ୍ରିକା ଓ ଭାରତ ସେମାନଙ୍କ ପ୍ରଥମ ମ୍ୟାଚ ଅକ୍ଟୋବର ୨ରୁ ଖେଳିବେ। ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସିଏସ୍‌ଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଥବଙ୍ଗ ମୋରେ କହିଛନ୍ତି, ଡିସେମ୍ବରରେ ଇଂଲଣ୍ଡର ଦକ୍ଷିଣ ଆଫ୍ରିକା ଟୁର୍‌ ପୂର୍ବରୁ ଜାତୀୟ ଦଳ ପଇଁ ନୂଆ ଢାଞ୍ଚାରେ ନିଯୁକ୍ତି ଦିଆଯିବ ବୋଲି ମୁଁ ଆଶା କରୁଛି। ସୂଚନାଯୋଗ୍ୟ, ରବିବାର ସିଏସଏ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାର ପ୍ରକାଶ ପାଇଥିଲା। ଏଥିରେ ସୂଚନା ଦିଆଯାଇଥିଲା ଯେ, ଦକ୍ଷିଣ ଆଫ୍ରିକା କ୍ରିକେଟର ପରିଚାଳନାଗତ ଢାଞ୍ଚା ବଦଳିବ। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ରେ ଦେଶର ନୈରାଶ୍ୟଜନ ପ୍ରଦର୍ଶନ ଯୋଗୁ ଏହି ପଦକ୍ଷେପ ନିଆଯାଇଛି। ଫୁଟ୍‌ବଲ ଶୈଳୀକୁ ଆପଣେଇବା ଲାଗି ସ୍ଥିର କରାଯାଇଛି। ଫଳ ସ୍ବରୂପ ମୁଖ୍ୟ କୋଚ୍‌ ଓଟିସ ଗିବସନଙ୍କ କାର୍ଯ୍ୟକାଳ ମିଆଦ ବୃଦ୍ଧି କରାଯିବ ନାହିଁ। ଏହି ସ୍ଥାନରେ ଜଣେ ଟିମ୍‌ ମ୍ୟାନେଜର ନିଯୁକ୍ତି ପାଇବେ, ଯାହାଙ୍କର ଚୟନ ବ୍ୟାପାରରେ ଅଖଣ୍ଡ କ୍ଷମତା ରହିବ। ଆଗାମୀ ଯୋଜନା ଅନୁସାରେ ବର୍ତ୍ତମାନର ଟିମ୍‌ ମ୍ୟାନେଜମେଣ୍ଟ ସଦସ୍ୟଗଣ ଏବଂ ବିଭିନ୍ନ ସହକାରୀ କ୍ରିକେଟ କୋଚ୍‌ମାନେ ବିଦା ହେବେ। ଯୋଜନା ଅନୁସାରେ ଜଣେ ଟିମ୍‌ ମ୍ୟାନେଜର ନିଯୁକ୍ତି ପାଇବେ। ସେ ନିଜ ପସନ୍ଦରେ କୋଚିଂ ଷ୍ଟାଫ୍‌ ଏବଂ ଗେମ୍‌ର ତିନୋଟି ଫର୍ମାଟ୍‌ ପାଇଁ ଅଧିନାୟକ ନିଯୁକ୍ତି ଦେବେ।

Share