ଡୁବୁରୀ ଛକରେ ସ୍ଥାପନ ହେବ ଟ୍ରାଫିକ ଲାଇଟ୍‌ ସିଗନାଲ

ଯାଜପୁର ଟାଉନ,୧।୨(ଡି.ଏନ.ଏ): ସଡ଼କ ସୁରକ୍ଷା ସମ୍ପର୍କିତ ପ୍ରଥମ ପାର୍ଲାମେଣ୍ଟାରୀ କମିଟି ବୈଠକ ଜିଲାପରିଷଦ ସଭାଗୃହଠାରେ ଏମ୍‌ପି ଶର୍ମିଷ୍ଠା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଥିବାରୁ ସେଠୀ ଉଦ୍‌ବେଗ ପ୍ରକାଶ କରିବା ସହିତ ଏ ଦିଗରେ ସମସ୍ତଙ୍କର ଦାୟିତ୍ୱ ରହିଛି ଏବଂ ଉତ୍ତରଦାୟୀଭାବେ ସମସ୍ତେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ। ମଦ ଓ ମାଦକଦ୍ରବ୍ୟର ସେବନ ପୂର୍ବକ ଗାଡିଚାଳନା, ରାସ୍ତାରେ ନିର୍ମାଣଗତ ତ୍ରୁଟି, ଚାଳନାବେଳେ ମୋବାଇଲ ଫୋନ ବ୍ୟବହାର ଏବଂ ଦ୍ରୁତଗତିରେ ଗାଡ଼ି ଚଳାଇବା ହିଁ ଦୁର୍ଘଟଣାର ମୁଖ୍ୟକାରଣ ହୋଇଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏ ସବୁ ନିୟମ ଭାଙ୍ଗୁଥିବା ଚାଳକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଯୋଗଦେଇ ଯେଉଁ କାରଣ ପାଇଁ ଦୁର୍ଘଟଣା ଘଟୁଛି ତାହାକୁ ଖୋଜି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ବିଂଝାରପୁରର ସୟଦପୁରଠାରୁ ମଇନ୍ଦା ଛକ ମଧ୍ୟରେ ନିୟମିତ ଦୁର୍ଘଟଣା ଘଟୁଥିବାରୁ ଏ ଦିଗରେ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଜିଲାପାଳ ରଞ୍ଜନ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବୈଠକ ପରିଚାଳନା କରି ସଡ଼କ ସୁରକ୍ଷାକୁ ଅଧିକ ଫଳପ୍ରଦ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାଂଶ ମାର୍ଗ ଅଧିକ ସମ୍ବେଦନଶୀଳ ହୋଇଥିବାବେଳେ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ସହିତ ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଇବା, ଧରପଗଡ଼କୁ ତ୍ୱରାନ୍ବିତ କରାଇବା ଏବଂ ରାସ୍ତା ନିର୍ମାଣ ସମୟରେ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଣ୍ଡିଖୋଲ ଓ ଡୁବୁରୀଠାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜନସାଧାରଣଙ୍କ ସ୍ବାର୍ଥ ସାଧନ ପାଇଁ ଟ୍ରାଫିକ ଲାଇଟ ସିଗନାଲ ବ୍ୟବସ୍ଥା କରିବାକୁ ଜିଲାପାଳ କହିଥିଲେ। ଅନ୍ୟପକ୍ଷରେ ଚଣ୍ଡିଖୋଲ ଛକରେ ରାସ୍ତା ଉପରେ ପାର୍କିଂ କରୁଥିବା ଗାଡିଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ବସ୍‌ ରହିବା ସ୍ଥଳକୁ ଅବରୋଧ ମୁକ୍ତ କରିବାକୁ ସ୍ଥିର ହୋଇଥିଲା। ଜିଲାପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଚଣ୍ଡିଖୋଲ ଆରଟିଓ ଲାଲମୋହନ ସେଠୀ, ଯାଜପୁର ଆରଟିଓ ସଚିନ୍ଦ୍ରନାଥ ପଣ୍ଡା, ଅତିରିକ୍ତ ଏସ୍‌ପି ଜୟରାମ ଶତପଥିଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ।

Share