ଡେଙ୍ଗୁ ନିରାକରଣ ଚିନ୍ତା: ସଚେତନତା ଅଭିଯାନକୁ ବ୍ୟାପକ କରିବାକୁ ଗୁରୁତ୍ୱ

ସୋନପୁର,୧୯।୭(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡେଙ୍ଗୁ ନିରାକରଣ ମାସ ଉପଲକ୍ଷେ ଜିଲାସ୍ତରୀୟ ସଚେତନତା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସଭାରେ ଅଧ୍ୟକ୍ଷତା କରି ଜିଲାପାଳ ମନୀଷା ବାନାର୍ଜୀ ଜିଲାରେ ଡେଙ୍ଗୁ ମୃତ୍ୟୁ ହୋଇ ନ ଥିବା ଖୁସିର ବିଷୟ ବୋଲି କହିଥିଲେ। ତେବେ କୌଣସି ବି ସମୟରେ ସ୍ଥିତି ଓଲଟି ଯାଇପାରେ, ତେଣୁ ସଜାଗ ରହିବା ଜରୁରୀ ବୋଲି ସେ ପରାମର୍ଶ ଦେଇଥିଲେ। ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ତାଙ୍କ ସକ୍ରିୟ ଯୋଗଦାନ ପାଇଁ ପ୍ରଶଂସା କରିବା ସହ ନିଜ ବିଭାଗର ସହକର୍ମୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଜିଲାପାଳ କହିଥିଲେ। ବିଭିନ୍ନସ୍ତରରେ ଆଶା, ଅଙ୍ଗନୱାଡି କର୍ମୀ ଏବଂ ସ୍ବେଚ୍ଛାସେବୀମାନଙ୍କୁ ନେଇ ଦଳ ତିଆରି କରିବା ସହ ନୋଡାଲ ଅଫିସର ଚୟନ ପୂର୍ବକ ଡେଙ୍ଗୁ ମଶାର ଉତ୍ପତ୍ତିସ୍ଥଳକୁ ବନ୍ଦ କରିବାକୁ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁ ସ୍ବାଗତ ଭାଷଣ ଦେବା ସହ ସପ୍ତାହକୁ ଅନ୍ତତଃ ଗୋଟିଏ ଦିନକୁ ଶୁଷ୍କ ଦିବସ ଭାବେ ପାଳନ କଲେ ଆମେ ଡେଙ୍ଗୁ ଓ ମ୍ୟାଲେରିଆ ପରି ରୋଗକୁ ନିୟନ୍ତ୍ରଣ କରିପାରିବା ବୋଲି କହିଥିଲେ। ଏଫଏଲଏ ଅଜୟ ଜେନା ଡେଙ୍ଗୁ ରୋଗରେ ସୁବର୍ଣ୍ଣପୁର ଜିଲାର ସ୍ଥିତି ବିଷୟରେ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଭେଷଜ ବିଶେଷଜ୍ଞ ଡାକ୍ତର ଜିତରାମ ବିଦ୍‌ ଡେଙ୍ଗୁ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ଏଡିପିଏଚଓ ଭିବିଡି ଡାକ୍ତର ନବ କିଶୋର ବେହେରା ଡେଙ୍ଗୁ ରୋଗ ନିରାକରଣ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ। ଏଡିପିଏଚଓ ପରିବାର କଲ୍ୟାଣ ଡାକ୍ତର ଦୈତ୍ୟନାରାୟଣ ପାଢୀ ଡେଙ୍ଗୁ ରୋଗକୁ ଦୂର କରିବାକୁ ସମସ୍ତଙ୍କ ସହଭାଗିତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବିଭିନ୍ନସ୍ତରରେ ଏହି ଅଭିଯାନକୁ ବ୍ୟାପକ କରିବା ସହ ବର୍ଷା ଋତୁ ପୂର୍ବରୁ ଯେମିତି ମଶା ବଂଶ ବୃଦ୍ଧି କରିବାକୁ ସୁଯୋଗ ନ ପାଇବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।