Categories: ଖେଳ

ଡେନ୍‌ମାର୍କ ଓପନ୍‌ରୁ ସିନ୍ଧୁ, ସମୀରଙ୍କ ବିଦାୟ

ଓଡେଞ୍ଜ୍‌, ୧୭ା୧୦ (ପି.ଟି.)-ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଡେନ୍‌ମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଏହି ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୭୫୦ଇଭେଣ୍ଟର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୫ମ ସିଡ୍‌ ସିନ୍ଧୁ କୋରିଆର ଆନ୍‌ ସି ୟଙ୍ଗ୍‌ଙ୍କଠାରୁ ୧୪-୨୧, ୧୭-୨୧ରେ ହାରିଯାଇଛନ୍ତି। ଅଗଷ୍ଟରେ ସୁଇଜରଲାଣ୍ଡର ବାସେଲଠାରେ ବିଶ୍ୱ ଚାମ୍ପିୟନଶିପ୍‌ ଜିତିବା ପରେ ସିନ୍ଧୁ କ୍ରମାଗତ ୩ଟି ଟୁର୍ନାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ୨୪ ବର୍ଷୀୟା ଏହି ଭାରତୀୟ ଖେଳାଳି ଚାଇନା ଓପନ ଏବଂ କୋରିଆ ଓପନରେ ଯଥାକ୍ରମେ ଦ୍ୱିତୀୟ ଓ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଗୁରୁବାର ଭାରତ ପାଇଁ ଖରାପ ଦିବସ ଥିଲା। ସମୀର ବର୍ମା ଏବଂ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟି ସେମାନଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ସମୀର ଅଲିମ୍ପିକ ଚାମ୍ପିୟନ ତଥା ଚାଇନାର ଚେନ୍‌ ଲଙ୍ଗ୍‌ଙ୍କଠାରୁ ୧୨-୨୧, ୧୦-୨୧ରେ ପରାସ୍ତ ହୋଇଥିବା ବେଳେ ଥାଇଲାଣ୍ଡ ଓପନ ଚାମ୍ପିୟନ ସାତ୍ତ୍ୱିକ ଏବଂ ଚିରାଗ ୬ଷ୍ଠ ସିଡ୍‌ ଚାଇନିଜ ଯୋଡ଼ି ହାନ୍‌ ଚେଙ୍ଗ୍‌ କାଇ ଏବଂ ଝୋ ହାଓ ଡଙ୍ଗ୍‌ଙ୍କଠାରୁ ୧୬-୨୧, ୧୫-୨୧ରେ ହାରିଯାଇଥିଲେ।

Share