Categories: ବାଣିଜ୍ୟ

ଡେପୁଟି ଗଭର୍ନର ଭାବେ ବିଶ୍ୱନାଥନଙ୍କୁ ପୁନଃନିଯୁକ୍ତି

ମୁମ୍ବାଇ,୧-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଡେପୁଟି ଗଭର୍ନର ଭାବେ ଏନ୍‌.ଏସ୍‌.ବିଶ୍ୱନାଥନଙ୍କୁ ଆହୁରି ଏକ ବର୍ଷ ପାଇଁ ପୁନଃନିଯୁକ୍ତ କରାଯାଇଛି। ଦ୍ୱିତୀୟଥର ପାଇଁ ସେ ଏହି ଦାୟିତ୍ୱରେ ରହିଛନ୍ତି। ଏଥିପୂର୍ବରୁ ତାଙ୍କୁ ୪ ଜୁଲାଇ ୨୦୧୬ରେ କେନ୍ଦ୍ରୀୟ ବ୍ୟାଙ୍କର ଡେପୁଟି ଗଭର୍ନର ଭାବେ ୩ ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ଜୁଲାଇ ୩ରେ ଶେଷ ହୋଇଥାନ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ ନିଯୁକ୍ତି କମିଟି ବିଶ୍ୱନାଥନଙ୍କ ନିଯୁକ୍ତିକୁ ମୋହର ମାରିଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏକ ବିବୃତି ଜାରି କରି କୁହାଯାଇଛି ଯେ, ବିଶ୍ୱନାଥନ ଜୁଲାଇ ୪ରୁ ପୁନର୍ବାର ନୂଆ ଦାୟିତ୍ୱରେ ରହିବେ। ଆର୍‌ବିଆଇ ଗଭର୍ନରଙ୍କ ଅଧୀନରେ ୪ ଜଣ ଡେପୁଟି ଗଭର୍ନର ରହିଥାନ୍ତି। ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ ବିଶ୍ୱନାଥନ, ବି.ପି.କାନୁନଗୋ ଓ ଏମ୍‌.କେ.ଜୈନ ଡେପୁଟି ଗଭର୍ନର ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏମାନଙ୍କ ମଧ୍ୟରେ ବିଶ୍ୱନାଥନ ସର୍ବବରିଷ୍ଠ ରହିଛନ୍ତି।

Share